କଟକ ଅଫିସ,୧୩ା୧- ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ହରିୟାଣା ରଣ୍ଜୀ ଟ୍ରଫି କ୍ରିକେଟ ମ୍ୟାଚ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଦ୍ୱିତୀୟ ଦିବସରେ ଘରୋଇ ହରିୟାଣା ପ୍ରଭାବୀ ପ୍ରଦର୍ଶନ କରି ମ୍ୟାଚକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଭ୍ରମଣକାରୀ ଓଡ଼ିଶାକୁ ପ୍ରଥମ ଇନିଂସରେ ୧୬୦ରନରେ ସୀମିତ ରଖିବା ପରେ ହରିୟାଣା ଦ୍ୱିତୀୟ ଇନିଂସ ଆରମ୍ଭ କରି ୫ ଉଇକେଟ ବିନିମୟରେ ୨୧୮ରନ କରିଛି। ଫଳରେ ପ୍ରଥମ ଇନିଂସରେ ମାତ୍ର ୯୦ରନରେ ଅଲଆଉଟ ହୋଇଥିବା ହରିୟାଣା ମୋଟ୍ ୧୪୮ରନର ଅଗ୍ରଣୀ ନେଇଛି। ହାତରେ ୫ ଉଇକେଟ ବାକି ରହିଛି। ତେବେ ଅବଶିଷ୍ଟ ୫ ଉଇକେଟ ଅଳ୍ପ ରନ ବ୍ୟବଧାନରେ ଦଖଲ କରି ଓଡ଼ିଶା ଟୁର୍ନାମେଣ୍ଟରେ ୪ର୍ଥ ବିଜୟ ଲକ୍ଷ୍ୟରେ ରହିଛି।
ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ୫ ଉଇକେଟ ହରାଇ ୧୪୧ରନ କରିଥିଲା। ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହେବା ପରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ୫ମ ଓ ୬ଷ୍ଠ ଉଇକେଟରେ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ସୃଷ୍ଟି କରି ଦଳକୁ ଅଗ୍ରଣୀ କରାଇଥିଲେ। ବିପ୍ଳବ ୪୫ରନରେ ଓ ଉଇକେଟ କିପର ସୁଜିତ ଲେଙ୍କା ୨୧ରନରେ ଅପରାଜିତ ଥିଲେ। ଦ୍ୱିତୀୟ ଦିବସର ପ୍ରଥମ ସେସନ୍ରେ ଅପ୍ରତ୍ୟାଶିତଭାବେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳୀୟ ସ୍କୋରରେ ମାତ୍ର ୧୯ରନ ଯୋଡ଼ି ଦଳ ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ସୁଜିତ ୨୬ରନରେ ଆଉଟ ହୋଇଥିଲେ। ବାମହାତୀ ଅର୍ଥୋଡକ୍ସ ଟିନୁ କୁଣ୍ଡୁ ହରିୟାଣାକୁ ଏହି ବ୍ରେକଥ୍ରୁ ଦେଇଥିଲେ। ପରେ ସୂର୍ଯ୍ୟକାନ୍ତ ପ୍ରଧାନ ୦, ରାଜେଶ ମହାନ୍ତି ୬ ଓ ବସନ୍ତ ମହାନ୍ତି ୦ରେ ଟିନୁଙ୍କ ଶିକାର ହୋଇଥିଲେ। ୧୧୬ବଲରୁ ୫୨ରନ କରିଥିବା ବିପ୍ଳବଙ୍କୁ ହରିୟାଣା ଅଧିନାୟକ ହର୍ଷଲ ପଟେଲ ଏଲବିଡବ୍ଲ୍ୟୁ କରି ଓଡ଼ିଶା ଇନିଂସର ସମାପ୍ତି ଘଟାଇଥିଲେ। ଟିନୁ ସର୍ବାଧିକ ୫ଟି ଉଇକେଟ ଅକ୍ତିଆର କରିଥିବା ବେଳେ ହର୍ଷଲ ୩ଟି, ଆଶିଷ ହୁଦା ଓ ଅଜିତ ଚହଲଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ପ୍ରଥମ ଇନିଂସରେ ଓଡ଼ିଶା ମୋଟ୍ ୭୦ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ହରିୟାଣା ଦଳ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ବିନା ଉଇକେଟରେ ୬୫ରନ ସଂଗ୍ରହ କରିଥିଲା। ଓପନର ଶୁଭମ ରୋହିଲା ଓ ଅଙ୍କିତ କୁମାର ୨୮ରନ ଲେଖାଏ କରିଥିଲେ। ଏହି ଦୁଇ ଖେଳାଳି ଓପନିଂ ଭାଗିଦାରୀରେ ୧୦୧ରନ ଯୋଡ଼ିବା ଫଳରେ ଓଡ଼ିଶା ଉପରେ ଚାପ ପଡ଼ିଥିଲା। ଅଙ୍କିତ କୁମାରଙ୍କୁ ୪୬ରନରେ ରାଜେଶ ଧୂପର ରନଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପରେ ଶୁଭମ ୪୮ରନରେ ଓ ଉଇକେଟ କିପର ନିତିନ ସଇନି ୬ରନରେ ରାଜେଶ ମହାନ୍ତିଙ୍କ ଦ୍ୱାରା ଆଉଟ ହୋଇଥିଲେ। ମଧ୍ୟକ୍ରମର ଖେଳାଳି ଶିବମ ଚୌହ୍ବାନ ୧୩, ହିମାଂଶୁ ରାଣା ୪୦ରନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ପ୍ରମୋଦ ଚଣ୍ଡିଲା ୨୪ ଓ ଅଧିନାୟକ ହର୍ଷଲ ୨୫ରନରେ ଅପରାଜିତ ଅଛନ୍ତି।