Categories: ଖେଳ

ରଣଜୀ ଟ୍ରଫି: ସୁଜିତଙ୍କ ଅର୍ଦ୍ଧଶତକ: ଓଡ଼ିଶାର ଇନିଂସ ଅଗ୍ରଣୀ

କଟକ ଅଫିସ,୧୧।୧୨- ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଛତିଶଗଡ଼ ବିପକ୍ଷରେ ଚାଲିଥିବା ରଣ୍‌ଜୀ ଟ୍ରଫି ଏଲିଟ୍‌ ଗ୍ରୁପ-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସ୍‌ ଅଗ୍ରଣୀ ହାସଲ କରିଛି। ଛତିଶଗଡ଼ର ପ୍ରଥମ ଇନିଂସ ୧୩୪ ରନ ଜବାବରେ ଓଡ଼ିଶା ୨୧୫ ରନରେ ଅଲଆଉଟ ହୋଇଥିଲା। ଉଇକେଟକିପର ସୁଜିତ ଲେଙ୍କା ଓଡ଼ିଶା ନିମନ୍ତେ ସର୍ବାଧିକ ୫୬ ରନ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ରହିଥିଲା। ମଙ୍ଗଳବାର ଦ୍ୱିତୀୟ ଦିବସ ଖେଳର ଷ୍ଟମ୍ପ ଅପସାରଣ ସୁଦ୍ଧା ଛତିଶଗଡ଼ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଗୋଟିଏ ଉଇକେଟ ହରାଇ ୪୫ ରନ କରିଛି।
ଅସମାପ୍ତ ପ୍ରଥମ ଇନିଂସ୍‌ ୪୮/୩ରୁ ଦ୍ୱିତୀୟ ଦିବସର ଖେଳ ଆରମ୍ଭ ହୋଇଥିଲା। ଦୁଇ ଅଭିଜ୍ଞ ଖେଳାଳି ବିପ୍ଳବ ସାମନ୍ତରାୟ(୪ ରନ) ଓ ଗୋବିନ୍ଦ ପୋଦ୍ଦାର(୦) ଅପରାଜିତ ଥିଲେ। ଗୋବିନ୍ଦ ପୋଦ୍ଦାର ୨ ରନ କରିବା ପରେ ପୂନୀତ ଦତ୍ତେଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ବିପ୍ଳବ ଓ ଅଲରାଉଣ୍ଡର ଅଭିଶେକ ରାଉତ ୫ମ ଉଇକେଟରେ ୨୯ ରନ ଯୋଡ଼ିଥିଲେ ମଧ୍ୟ ଦୀର୍ଘ ସମୟ କ୍ରିଜରେ ତିଷ୍ଠି ରହିଥିଲେ। ଅଭିଶେକ ୬୮ ବଲରୁ ୧୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବିପ୍ଳବ ଓ ସୁଜିତ ୬ଷ୍ଠ ଉଇକେଟରେ ୪୩ ରନର ଭାଗୀଦାରି ସୃଷ୍ଟି କରିଥିଲେ। ବିପ୍ଳବ ୧୦୦ ବଲ ସାମ୍ନା କରି ୩୦ ରନରେ ଆଉଟ ହୋଇଥିଲେ। ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ସହ ଭାଗୀଦାରି ସୃଷ୍ଟି କରି ସୁଜିତ ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୨୩ ବଲରୁ ୩୩ ରନ୍‌ ଦ୍ରୁତ ଇନିଂସ ଖେଳିଥିବା ବେଳେ ରାଜେଶ ମହାନ୍ତି ୧୭ ରନ କରିଛନ୍ତି। ୧୧୭ ବଲରୁ ୧୦ଟି ଚୌକା ବଳରେ ସୁଜିତ ୫୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ବସନ୍ତ ୩ରନରେ ଅପରାଜିତ ଥିଲେ। ଛତିଶଗଡ଼ ପକ୍ଷରୁ ପୁନୀତ ଦତ୍ତେ ସର୍ବାଧିକ ୪ଟି ଏବଂ ଶଶାଙ୍କ ସିଂ ୨ଟି, ପଙ୍କଜ ରାଓ ଓ ବୀରପ୍ରତାପ ସିଂ ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି। ପ୍ରଥମ ଇନିଂସରେ ଓଡ଼ିଶା ୭୨ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଛତିଶଗଡ଼ ୧୩ ରନରେ ଓପନର ଅବିନାଶ ଧାଲିୱାଲଙ୍କ ଉଇକେଟ ହରାଇଛି। ଅବିନାଶ ୫ ରନରେ ବସନ୍ତଙ୍କ ଶିକାର ହୋଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଜୀବନଜ୍ୟୋତ୍‌ ସିଂ ୧୨ ରନରେ ଓ ଆଶୁତୋଷ ସିଂ ୨୬ ରନରେ ଅପରାଜିତ ଅଛନ୍ତି।

Share