Categories: ଖେଳ

ରଣଜୀ ଫାଇନାଲରେ ଖେଳିବେ ନାହିଁ ଜାଡେଜା

କୋଲକାତା,୬।୩- ଆସନ୍ତା ୯ ତାରିଖରେ ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଚଳିତ ରଣଜୀ ସିଜନର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ତା’ର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଫାଇନାଲରେ ଖେଳାଇବା ପାଇଁ ବିସିସିଆଇର ଅନୁମତି ମାଗିଥିଲା। କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବୋର୍ଡ ଜାଡେଜାଙ୍କୁ ରଣଜୀ ଫାଇନାଲରେ ଖେଳିବାକୁ ଅନୁମତି ଦେଇ ପାରିବ ନାହିଁ। କାରଣ ଦେଶ ପ୍ରଥମେ ବୋଲି ଗାଙ୍ଗୁଲି କହିଛନ୍ତି। ଦେଶରେ ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ନ କରିବାକୁ ଏସ୍‌ସିଏ ସଭାପତି ଜୟଦେବ ଶାହା ପ୍ରସ୍ତାବ ଦେଇଛନ୍ତି। ଯଦି ବିସିସିଆଇ ଚାହୁଁଛି ରଣଜୀ ଫାଇନାଲ ଭଳି ଦେଶର ଗୁରୁତ୍ୱପୂର୍ଣ୍ଣ ଘରୋଇ କ୍ରିକେଟ ମ୍ୟାଚ୍‌ର ସିଧାପ୍ରସାରଣ ଅଧିକ ପ୍ରଶଂସକ ଦେଖନ୍ତୁ, ତେବେ ସେହି ସମୟରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରାଯିବା ଉଚିତ ନୁହେଁ। ଯଦି ରଣଜୀ ଫାଇନାଲବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରାଯାଇପାରିବ, ତେବେ ଆଇପିଏଲ ସମୟରେ କାହିଁକି ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଇପିଏଲରୁ ବିପୁଳ ଟଙ୍କା ମିଳିଥିବାରୁ ବିସିସିଆଇ ଏଭଳି କରୁନାହିଁ। ରଣଜୀ ଫାଇନାଲକୁ ଲୋକପ୍ରିୟ କରାଇବାକୁ ହେଲେ ଷ୍ଟାର ଖେଳାଳିମାନେ ଖେଳିବା ଦରକାର ବୋଲି ଶାହା କହିଛନ୍ତି। ସୌରାଷ୍ଟ୍ର ଗତ ୮ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ରଣଜୀ ଫାଇନାଲ ଖେଳିବ। ଏହି ମ୍ୟାଚ୍‌ରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଖେଳିବେ। ତାଙ୍କ ସାଥୀ ରିଦ୍ଦିମାନ ଶାହା ବେଙ୍ଗଲ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

Share