Categories: ଖେଳ

ରଣଜୀ ମୁକାବିଲା: ଫଲୋଅନ ପରେ ଆସାମର ସଂଘର୍ଷ

କଟକ ଅଫିସ,୩୦ା୧-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଫଲୋଅନ ପାଇବା ସତ୍ତ୍ବେ ମ୍ୟାଚ୍‌ ବଞ୍ଚାଇବାକୁ ଚେଷ୍ଟା କରୁଛି ଭ୍ରମଣକାରୀ ଆସାମ। ଓଡ଼ିଶାର ପ୍ରଥମ ଇନିଂସ ୪୩୬ ରନ ଜବାବରେ ଆସାମ ପ୍ରଥମ ଇନିଂସରେ ୨୩୮ ରନରେ ଅଲଆଉଟ୍‌ ହୋଇଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଆସାମ ବୁଧବାର ଷ୍ଟମ୍ପ ଅପସାରଣ ସୁଦ୍ଧା ବିନା ଉଇକେଟରେ ୧୦୨ ରନ କରିଛି। ଫଳରେ ଦଳ ଆଉ ୯୬ରନ ପଛରେ ରହିଛି। ଅନ୍ୟପକ୍ଷରେ ଗୁରୁବାର ତଥା ମ୍ୟାଚ୍‌ର ଅନ୍ତିମ ଦିବସରେ ଓଡ଼ିଶା ଆସାମକୁ ଅଳ୍ପ ରନରେ ଅଲଆଉଟ କରି ବିଜୟ ପଏଣ୍ଟ ହାତେଇବା ଲକ୍ଷ୍ୟରେ ଅଛି ବୋଲି ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି କହିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୩୬ ରନରେ ଅଲଆଉଟ ହେବା ପରେ ମଙ୍ଗଳବାର ଖେଳ ଶେଷ ସୁଦ୍ଧା ଆସାମ ୩ ଉଇକେଟ ହରାଇ ୫୯ରନ କରିଥିଲା। ରିଷଭ ଦାସ ୨୪ ଓ ରିୟାନ ପରାଗ ୧୪ ରନରେ ଅପରାଜିତ ଥିଲେ। ଆସାମର ଦଳୀୟ ସ୍କୋର ୮୬ ହୋଇଥିବା ବେଳେ ୪ର୍ଥ ଉଇକେଟର ପତନ ଘଟିଥିଲା। ରିଷଭଙ୍କୁ ୩୭ରନରେ ରାଜେଶ ମହାନ୍ତି କ୍ଲିନବୋଲ୍ଡ କରିଥିଲେ। ପରେ ରିୟାନଙ୍କୁ ୪୩ରନରେ ଦେବବ୍ରତ ପ୍ରଧାନ ଓ ସାହିଲ ଜୈନଙ୍କୁ ୧୫ ରନରେ ଅଭିଷେକ ରାଉତ ଏଲବିଡବ୍ଲ୍ୟୁ କରି ଦଳକୁ ଯଥାକ୍ରମେ ୫ମ ଓ ୬ଷ୍ଠ ସଫଳତା ଦେଇଥିଲେ। ପ୍ରୀତମ ଦାସ ଖାତା ଖୋଲିବା ପୂର୍ବରୁ ଅଭିଷେକଙ୍କ ବଲରେ ବୋଲ୍ଡ ହେବା ଫଳରେ ଆସାମର ସ୍କୋର ୧୪୭/୭ରେ ପହଞ୍ଚିଥିଲା। ହେଲେ ୮ମ ଉଇକେଟରେ ଉଇକେଟ କିପର କୁନାଲ ସାଇକିଆ ଓ ପେସ୍‌ ବୋଲର ରଞ୍ଜିତ ମାଲି ୫୮ରନ ଯୋଡ଼ି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ୮ଟି ଚୌକା ବଳରେ ୫୨ରନ କରିଥିବା କୁନାଲଙ୍କୁ ୭୫ତମ ଓଭରରେ କ୍ୟାଚ ଆଉଟ କରି ଦେବବ୍ରତ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଦେଇଥିଲେ। ପରେ ଅର୍ଦ୍ଧଶତକ ହାସଲ କରିଥିବା ରଞ୍ଜିତ ମଧ୍ୟ ଦେବବ୍ରତଙ୍କ ଶିକାର ହୋଇଥିଲେ। ସେ ୫୯ ରନରେ ଶାନ୍ତନୁ ମିଶ୍ରଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ବୋଲର କ୍ରୀଷ୍ଣା ଦାସଙ୍କୁ ଖାତା ଖୋଲିବା ପୂର୍ବରୁ ଦେବବ୍ରତ ବୋଲ୍ଡ କରି ଆସାମ ଇନିଂସର ପରିସମାପ୍ତି ଘଟାଇଥିଲେ। ଅରୂପ ଦାସ ୧୦ରନରେ ଅପରାଜିତ ଥିଲେ। ଦେବବ୍ରତ ୩୯ରନ ବ୍ୟୟରେ ସର୍ବାଧିକ ୪ଟି ଉଇକେଟ ଦଖଲ କରିଛନ୍ତି। ଅଭିଷେକଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ସୂର୍ଯ୍ୟକାନ୍ତ, ବସନ୍ତ ଓ ରାଜେଶ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ପ୍ରଥମ ଇନିଂସରେ ଆସାମ ୧୯୮ରନରେ ପଛରେ ରହିଥିଲା। ଫଲୋଅନ ପାଇବା ପରେ ଉଇକେଟ କିପର କୁନାଲ ସାଇକିଆ ବାମହାତୀ ବ୍ୟାଟ୍ସମ୍ୟାନ ଶୁଭମ ମଣ୍ଡଳଙ୍କ ସହ ଓପନିଂ କରିବାକୁ ଆସିଥିଲେ। ଏହି ଦୁଇ ଖେଳାଳି ୩୧ଓଭର ବ୍ୟାଟିଂ କରି ୧୦୨ରନ କରିଛନ୍ତି। ଶୁଭମ ୧୦୪ ବଲରୁ ୪୦ ରନ ଓ କୁନାଲ ୮୨ ବଲରୁ ୬୨ ରନ କରି ଅପରାଜିତ ଅଛନ୍ତି।

Share