Categories: ରାଜ୍ୟ

ରଣପୁର ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାଟବଣା: ଶ୍ରମିକ ବଦଳରେ ମେଶିନ କରୁଛି କାମ

ରଣପୁର,୨୦ା୭ (ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ କରାଯାଇଛି। ଏହା ଦ୍ୱାରା ଗ୍ରାମ ଓ ସହରର ଶ୍ରମିକ ନିଜ ଅଞ୍ଚଳରେ କାମକରି ରୋଜଗାରକ୍ଷମ ହୋଇପାରିବେ । କିନ୍ତୁ ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଥିବା ଦେଖିବାକୁ ମିଳିଛି। ଶ୍ରମିକ ବଦଳରେ ବିଭାଗୀୟ ଅଧିକାରୀ ଓ ଠିକାଦାର ମେଶିନ୍‌ ସାହାଯ୍ୟରେ କାମ କରାଉଛନ୍ତି। ଫଳରେ ସରକାରଙ୍କ ମହତ୍‌ ଉଦ୍ଦେଶ୍ୟ ପୂରଣ ହୋଇପାରୁ ନାହିଁ। ରଣପୁର ବ୍ଲକର କେତେକ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତାଳକଣି ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମରେ ଥିବା ତାରିଣୀ ପରିତ୍ୟକ୍ତ ପଡିଆକୁ ତାରିଣୀ ଖେଳ ପଡିଆ କରିବା ପାଇଁ ବହୁ ଦିନରୁ ଦାବି ହୋଇଆସୁଥିଲା। ଶେଷରେ ଜିଲା ପ୍ରଶାସନ ଲୋକଙ୍କ ଦାବିକୁ ଗ୍ରହଣ କରିଥିଲା। ଖେଳ ପଡିଆ କରିବା ପାଇଁ ଏହାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସାମିଲ କରାଯାଇ ୨୦୧୬-୧୭ ଆର୍ଥିକ ବର୍ଷରେ ୯ଲକ୍ଷ ୨୦ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଜବ୍‌କାର୍ଡ ଥିବା ଶ୍ରମିକମାନଙ୍କ ଦ୍ୱାରା କାମ କରିବା ପାଇଁ ନିୟମ ରହିଥିଲାବେଳେ ଏହାକୁ ଜେସିବି ସାହାଯ୍ୟରେ କରାଯାଇ ପ୍ରଥମ କିସ୍ତିରେ ବ୍ଲକ ତରଫରୁ ୨ଲକ୍ଷ ୭୮ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବିଭିନ୍ନ ଜବ୍‌କାର୍ଡ ମାଧ୍ୟମରେ ଉଠାଯାଇଥିବା ଅଭିଯୋଗ ହୋଇଛି । ମାତ୍ର ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଜେସିବି ସାହାଯ୍ୟରେ ଘାସ ଚଞ୍ଛାଯାଇଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି। ଏହି ଯୋଜନାରେ ବ୍ଲକର ବିଭିନ୍ନ ପୋଖରୀ ଓ ରାସ୍ତା କାର୍ଯ୍ୟ ମଧ୍ୟ ଜେସିବି ଓ ଅନ୍ୟ ମେଶିନ ଦ୍ୱାରା କରାଯାଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଯେଉଁଠି ଅଭିଯୋଗ ହେଉଛି ସେଠାରେ ରାତି ଓ ଅନ୍ୟ ସ୍ଥାନରେ ଦିନ ଦ୍ୱିପ୍ରହରରେ ମେଶିନ ଲଗାଇ କାମ କରାଯାଉଛି । କାର୍ଯ୍ୟ ଶେଷ ହେବା ପରେ ଶ୍ରମିକମାନଙ୍କ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ଥିବା ଆକାଉଣ୍ଟକୁ ଟଙ୍କା ଆସୁଛି। ଠିକାଦାର ଦଲାଲଙ୍କ ମାଧ୍ୟମରେ ଶ୍ରମିକମାନଙ୍କୁ ବ୍ୟାଙ୍କକୁ ନେଇ ଟଙ୍କା ଉଠାଉଛନ୍ତି। ଶ୍ରମିକଟି କାର୍ଯ୍ୟ ନ କରି ୨ରୁ ୩ଶହ ଟଙ୍କା ପାଉଥିଲାବେଳେ ତାଙ୍କ ନାମରେ ଆସୁଥିବା ହଜାର ହଜାର ଟଙ୍କା ଠିକାଦର ନେଇ ଛୁ ମାରୁଛି । ବ୍ଲକର ବିଭିନ୍ନ ଗ୍ରାମରେ ଲୋକମାନେ କାମ ନ ପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଅନେକ ସମୟରେ ସେମାନେ ନିର୍ଯାତିତ ହୋଇ ମୃତ୍ୟୁବରଣ କରୁଥିବା ନଜିର ରହିଛି। ରଣପୁର ପଟିଆ ଗ୍ରାମର ଜଣେ ଶ୍ରମିକ କାର୍ଯ୍ୟ କରିବାକୁ ଦୁବାଇ ଯାଇଥିବାବେଳେ ଠିକାଦାର ନିର୍ଯାତନାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏ ସମ୍ପର୍କରେ ରଣପୁର ବିଡିଓ ରଶ୍ମିରେଖା ଦାସଙ୍କୁ ପଚାରିବାରୁ ସେ କହିଥିଲେ, ଯେଉଁଠାରେ ଶ୍ରମିକ ମିଳୁନାହାନ୍ତି ସେଠାରେ ମେଶିନ ଦ୍ୱାରା କାମ କରାଯାଉଛି।

Share