Categories: କନ୍ଧମାଳ

ରଣବା ପଞ୍ଚାୟତରେ ଉଡ଼ିଲାନି ଜାତୀୟ ପତାକା : ମାଓବାଦୀ ନାଁରେ ବିଦ୍ୟାଳୟରୁ ମିଳିଥିଲା ଧମକପୂର୍ଣ୍ଣ ଚିଠି

ରାଇକିଆ,୨୮ା୧(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅନେକ ବିଦ୍ୟାଳୟରେ ରବିବାର ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରାଯାଇପାରିନି। ଶନିବାର ରଣବା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀଙ୍କ ନାଁରେ ଏକ ଧମକପୂର୍ଣ୍ଣ ଚିଠି ମରାଯାଇଥିଲା ା ବିଦ୍ୟାଳୟ ଓ ପଞ୍ଚାୟତରେ ଜାତୀୟ ପତାକା ନ ଉଡ଼ାଇବା ପାଇଁ ସେଥିରେ ଉଲ୍ଲେଖ ଥିଲା। ଯଦି କେହି ପତାକା ଉତ୍ତୋଳନ କରନ୍ତି, ଅସୁବିଧାର ସମ୍ମୁଖୀନ ହେବେ ବୋଲି ଲେଖାଥିଲା। ତେଣୁ ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅଧିକାଂଶ ବିଦ୍ୟାଳୟରେ ରବିବାର ସାଧାରଣତନ୍ତ୍ର ଦିବସ ପାଳନ ହୋଇପାରିନାହିଁ। ବିଦ୍ୟାଳୟରେ ଧମକପୂର୍ଣ୍ଣ ଚିଠି ମରାଯାଇଥିବା ନେଇ ପ୍ରଧାନ ଶିକ୍ଷକଙ୍କଠାରୁ ଜାଣିବାକୁ ପାଇଥିଲେ ବୋଲି ରଣବା ସରପଞ୍ଚ ଭିକାରୀ ମଲ୍ଲିକ କହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ ନ କରିବାକୁ ଉକ୍ତ ଚିଠିରେ ଉଲ୍ଲେଖ ଥିବା ସେ କହିଥିଲେ। ଏ ନେଇ ବିଇଓ ପ୍ରମୋଦ ମଲ୍ଲିକଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ ା ଅନ୍ୟପକ୍ଷରେ ରଣବା ପଞ୍ଚାୟତର ୩/୪ଟି ବିଦ୍ୟାଳୟକୁ ଛାଡ଼ିଦେଲେ ଅନ୍ୟ କୌଣସିଠାରେ ଜାତୀୟ ପତାକା ଉତ୍ତୋଳନ ହୋଇପାରିନାହିଁ ବୋଲି ରାଇକିଆ ବିଡ଼ିଓ ପ୍ରବୀଣ ବାଣୁଆ କହିଛନ୍ତି।