ରଣବୀରଙ୍କ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ସିମ୍ବା ଷ୍ଟାର ଶନିବାର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିବସରେ ରଣବୀର ସିଂହ ତାଙ୍କର ଅପ୍‌କମିଂ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ଏହି ଫିଲ୍ମରେ ଭାରତୀୟ କ୍ରିକେଟର ତଥା ହରିୟାଣାର ହରିକେନ କପିଲ ଦେବଙ୍କ ଲୁକ୍‌ର ପ୍ରଥମ ଫଟୋକୁ ରଣବୀର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ରଣବୀର ଅବିକଳ ଅଧିନାୟକ କପିଲ ଦେବଙ୍କ ଭଳି ଦେଖାଯାଉଛନ୍ତି। ତାଙ୍କ ଆଖିରେ କପିଲଙ୍କ ଭଳି ଜୋଶ୍‌ ଦେଖିବାକୁ ମିଳିଛି। ଫିଲ୍ମ ‘୮୩’ ହେଉଛି ୧୯୮୩ ବିଶ୍ୱକପ୍‌ କ୍ରିକେଟର କାହାଣୀ ଉପରେ ଆଧାରିତ। ଯେଉଁ ବର୍ଷ ଭାରତ ବିଶ୍ୱକପ୍‌ ଜିତିଥିଲା। ଆଉ ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ କପିଲ ଦେବ। ତାଙ୍କ ନେତୃତ୍ୱରେ ଦଳ କେମିତି ବିଶ୍ୱକପ ଜିତିଲା ତାକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି।

ଏଥିରେ ରଣବୀର କପିଲଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଦୀପିକାଙ୍କୁ କପିଲଙ୍କ ପତ୍ନୀ ରୋମି ଦେବୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ନିଜ ଚରିତ୍ରକୁ ଜୀବନ୍ତ କରିବା ଲାଗି କପିଲଙ୍କ ଗେଟ୍‌ଅପ୍‌, ଚାଲିଚଳଣ, କଥାବାର୍ତ୍ତା ଆଦିକୁ ଶିଖିବା ପାଇଁ ଫୁଲ ଦମ୍‌ରେ ଲାଗି ପଡ଼ିଛନ୍ତି ରଣବୀର। ଫିଲ୍ମର ଶୁଟିଂ ପାଇଁ ରଣବୀର ଓ ଦୀପିକା ଏବେ ଇଂଲଣ୍ଡରେ ଅଛନ୍ତି। କପିଲଙ୍କ ଚରିତ୍ରକୁ ଭଲଭାବରେ ଆପଣାଇବା ପାଇଁ ରଣବୀର ତାଙ୍କ ଘରେ ୧୦ ଦିନ ପର୍ଯ୍ୟନ୍ତ ରହିଥିଲେ। ଏଥିସହ ପୂର୍ବତନ କ୍ରିକେଟର ବଲବିନ୍ଦର ସିଂହ ସନ୍ଧୁଙ୍କଠାରୁ ରଣବୀର ଓ ତାଙ୍କ ଟିମ୍‌ ଟ୍ରେନିଂ ନେଇଥିଲେ। ଫିଲ୍ମର ପ୍ରଡକ୍ସନ ଭାର କବିର ଖାଁ ଓ ଦୀପିକା ପାଦୁକୋନ ସମ୍ଭାଳୁଥିବା ବେଳେ ୨୦୨୦ ଏପ୍ରିଲ ୧୦କୁ ଏହି ଫିଲ୍ମ ପରଦାକୁ ଆସିବ ବୋଲି ସୂଚନା ମିଳିଛି।

Share