Categories: ଖେଳ

ରଣ୍‌ଜୀରେ ଫିଟ୍‌ନେସ ପ୍ରମାଣ କରିବେ ବୁମ୍‌ରା

ସୁରଟ, ୨୪।୧୨ (ପି.ଟି.)- ରଣ୍‌ଜୀ ଟ୍ରଫି ୩ୟ ପର୍ଯ୍ୟାୟର ଏକ ମୁକାବିଲାରେ ବୁଧବାର କେରଳକୁ ଭେଟିବ ଘରୋଇ ଗୁଜରାଟ। ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟାର୍‌ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଜରିଆରେ ନିଜ ଫିଟ୍‌ନେସର ପ୍ରମାଣ ଦେବାକୁ ସୁଯୋଗ ପାଇଛନ୍ତି। ମାଂସପେଶୀଜନିତ ସମସ୍ୟା ଲାଗି ବୁମ୍‌ରା ଗତ ସେପ୍ଟେମ୍ବରରୁ ଆକ୍ସନରୁ ଦୂରେଇ ରହିଛନ୍ତି। ଏବେ ସୁସ୍ଥ ହୋଇଥିବା ଏହି ଡାହାଣହାତୀ ୟର୍କର ସ୍ପେଶାଲିଷ୍ଟ ବୋଲର ଶ୍ରୀଲଙ୍କା (ଟି୨୦) ଓ ଅଷ୍ଟ୍ରେଲିଆ (ଦିନିକିଆ) ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ଗୁଜରାଟ ଓ କେରଳ ମଧ୍ୟରେ ଖେଳାଯିବାକୁ ଥିବା ରଣ୍‌ଜୀ ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ରଣ୍‌ଜୀ ଟ୍ରଫି ମୁକାବିଲାରେ ବିସିସିଆଇ ଚୟନ କମିଟିର ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ ଉପସ୍ଥିତ ରହି ବୁମ୍‌ରାଙ୍କ ଫିଟ୍‌ନେସ ଉପରେ ନଜର ରଖିବେ। ତିନୋଟିଯାକ ଫର୍ମାଟ୍‌ରେ ଭାରତର ପ୍ରମୁଖ ବୋଲର ରହିଥିବା ବୁମ୍‌ରା ଶେଷଥର ପାଇଁ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଖେଳାଯାଇଥିବା ୨ୟ ଟେଷ୍ଟରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚ୍‌ରେ ସେ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ପାଇଥିଲେ। ଜାନୁୟାରୀ ପ୍ରଥମ ସପ୍ତାହରୁ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଏହାପରେ ବିରାଟ କୋହଲିଙ୍କ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ଦୁଇ ସିରିଜ ଲାଗି ସୋମବାର ଘୋଷିତ ଭାରତୀୟ ଦଳରେ ବୁମ୍‌ରା ସ୍ଥାନ ପାଇବା ସହ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Share