Categories: ଖେଳ

ରଣ୍‌ଜୀ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର,୧୫।୨- ଗୋଟେ ବର୍ଷର ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଝାଡ଼ଖଣ୍ଡ ବିପକ୍ଷ ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରି ଏହି ସଫଳତା ପାଇଛି। ପ୍ରଥମ ଇନିଂସରେ ୧୫୬ ରନ୍‌ର ମାରାଥନ ଇନିଂସ ଖେଳିଥିବା ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।
ପ୍ରଥମ ଇନିଂସରେ ଓଡ଼ିଶା ୪୩୬ ରନ୍‌ କରିଥିଲା। ଜବାବରେ ଶୁକ୍ରବାର ସୁଦ୍ଧା ଭ୍ରମଣକାରୀ ଝାଡ଼ଖଣ୍ଡ ୯ ଉଇକେଟ ହରାଇ ୩୫୫ ରନ୍‌ କରିଥିଲା। ରବିବାର ଦଳୀୟ ସ୍କୋରରେ ଆଉ ମାତ୍ର ଏକ ରନ୍‌ ଯୋଡ଼ି ଅଲଆଉଟ୍‌ ହୋଇଯାଇଥିଲା ଝାଡ଼ଖଣ୍ଡ। ଫଳରେ ଦଳ ୩୫୬ ରନ୍‌ରେ ସୀମିତ ରହିଥିଲା ଓ ଓଡ଼ିଶା ୮୦ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଓଡ଼ିଶା ବୋଲରଙ୍କ ମଧ୍ୟରେ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିବାବେଳେ ଦେବବ୍ରତ ପ୍ରଧାନ ୨ ଉଇକେଟ ହାତେଇଥିଲେ। ଦ୍ୱିତୀୟ ଇନିଂସ ଆରମ୍ଭରୁ ଓଡ଼ିଶା ଶାନ୍ତନୁ ମିଶ୍ର(୧୪)ଙ୍କ ଉଇକେଟ ହରାଇଥିଲା। ଏହାପରେ ଅଧିନାୟକ ସୁଭ୍ରାଂଶୁ ସେନାପତି (୧୦୦) ଓ ବିଳ୍ପବ ସାମନ୍ତରାୟ (୬୪)ଙ୍କ ଯୋଡ଼ି ପ୍ରତିପକ୍ଷ ବୋଲରଙ୍କୁ ଆଉ ଉଇକେଟ ନେବାର ସୁଯୋଗ ଦେଇ ନ ଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୧ ଉଇକେଟ ହରାଇ ୧୮୭ ରନ୍‌ କରିଥିଲା।

Share