Categories: ଖେଳ

ରଣ୍‌ଜୀ ଟ୍ରଫି: ମିଲିନ୍ଦ କୁମାରଙ୍କ ଶତକ

ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ବର୍ଷା ଯୋଗୁ କ୍ରମାଗତ ୨ ଦିନ ଖେଳ ବାତିଲ ପରେ ରବିବାର ଅଗରତାଲାର ବୀର ବିକ୍ରମ କଲେଜ ଷ୍ଟାଡିୟମରେ ଓଡ଼ିଶା-ତ୍ରିପୁରା ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଦିଲ୍ଲୀ ଖେଳାଳି ଅଧିନାୟକ ମିଲିନ୍ଦ କୁମାରଙ୍କ ଶତକ, ମଣିଶଙ୍କର ମୁରା ସିଂ ଓ ସମ୍ରାଟ ସିଂଙ୍କ ଅର୍ଦ୍ଧଶତକ ବଳରେ ତ୍ରିପୁରା ୨୮୮/୬ରେ ଏହାର ପ୍ରଥମ ଇନିଂସ୍‌ ଘୋଷଣା କରିଛି। ତୃତୀୟ ଦିବସ ଖେଳ ଶେଷବେଳକୁ ଓଡ଼ିଶା କୌଣସି ଉଇକେଟ ନ ହରାଇ ୫ ରନ ସଂଗ୍ରହ କରିଛି। ଗୋବିନ୍ଦ ପୋଦ୍ଦାର ୪ ଓ ଶାନ୍ତନୁ ମିଶ୍ର ୧ ରନ୍‌ କରି ଅପରାଜିତ ରହିଛନ୍ତି। ସମସ୍ତ ଉଇକେଟ ସୁରକ୍ଷିତ ଥିବାବେଳେ ପ୍ରଥମ ଇନିଂସ୍‌ ଅଗ୍ରଣୀ ପାଇଁ ଓଡ଼ିଶାକୁ ସୋମବାର ଅନ୍ତିମ ଦିବସରେ ୨୮୪ ରନ୍‌ ଆବଶ୍ୟକ ହେଉଛି।
ଟସ୍‌ ଜିତି ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ପେସ୍‌ ସେନ୍‌ସେଶନ ରାଜେଶ ମହାନ୍ତି ୨୭ ରନ୍‌ ମଧ୍ୟରେ ୨ଟି ଉଇକେଟ ନେଇ ତ୍ରିପୁରାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୪ ନମ୍ବର ଖେଳାଳି କମଲ ଦାସ ୨୦ ରନ୍‌ରେ ଆଉଟ ହୋଇଥିଲେ ହେଁ ସମ୍ରାଟ ଓ ମିଲିନ୍ଦ ସତର୍କତାର ସହ ବ୍ୟାଟିଂ କରି ଇନିଂସ୍‌ ସମ୍ଭାଳିଥିଲେ। ସମ୍ରାଟ୍‌ ୧୬୨ ବଲ୍‌ରୁ ୧୦ ଚୌକା ସହାୟତାରେ ୬୫ ରନ୍‌ କରି ବସନ୍ତ ମହାନ୍ତିଙ୍କ ବଲ୍‌ରେ ଆଉଟ ହୋଇଥିଲେ। ମିଲିନ୍ଦ ପ୍ରଥମ ଶ୍ରେଣୀ କ୍ରିକେଟରେ ୯ମ ଶତକ ହାସଲ କରି ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ରଜତ ଦେ ୪ ରନ୍‌ କରି ଆଉଟ ହୋଇଥିବାବେଳେ ଲୋୟର ଅର୍ଡରରେ ମଣିଶଙ୍କର ମୁରାସିଂ ୭୨ ରନ୍‌ କରି ତ୍ରିପୁରାକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଦେଇଥିଲେ। ୮୨ତମ ଓଭରରେ ମଣିଶଙ୍କର ଆଉଟ ହେବାପରେ ମିଲିନ୍ଦ ଇନିଂସ ଘୋଷଣା କରିଥିଲେ। ମଣିଶଙ୍କର ୭୦ ବଲ୍‌ରୁ ୧୨ ଚୌକା ଓ ୧ ଛକା ସହ ୭୨ ରନ୍‌ କରି ଆଉଟ ହୋଇଥିବାବେଳେ ମିଲିନ୍ଦ ୧୫୨ ବଲ୍‌ରୁ ୧୫ ଚୌକା ଓ ୨ ଛକା ସହାୟତାରେ ୧୦୫ ରନ୍‌ରେ ଅପରାଜିତ ରହିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୩ଟି ଏବଂ ବସନ୍ତ ମହାନ୍ତି, ପପୁ ରୟ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ତ୍ରିପୁରା ପ୍ରଥମ ଇନିଂସ୍‌: ୨୮୮/୬/ଘୋଷଣା(ମିଲିନ୍ଦ-୧୦୫*, ମଣିଶଙ୍କର-୭୨, ସମ୍ରାଟ୍‌-୬୫, ରାଜେଶ-୩/୭୮, ବସନ୍ତ-୧/୫୦, ପପୁ-୧/୫୧, ଗୋବିନ୍ଦ-୧/୩୯)। ଓଡ଼ିଶା ପ୍ରଥମ ଇନିଂସ: ୫/୦।

Share