Categories: ଖେଳ

ରଣ୍‌ଜୀ ଟ୍ରଫି: ମୁମ୍ବାଇ, ପଞ୍ଜାବର ବୃହତ୍‌ ବିଜୟ

ନୂଆଦିଲ୍ଲୀ, ୧୨।୧୨- ଚଳିତ ରଣ୍‌ଜୀ ଟ୍ରଫିରେ ମୁମ୍ବାଇ ଓ ପଞ୍ଜାବ ବୃହତ୍‌ ବିଜୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଭଦୋଦରାର ରିଲାଏନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୩୦୯ ରନ ବ୍ୟବଧାନରେ ବରୋଦାକୁ ପରାସ୍ତ କରିଛି। ସେହିଭଳି ଜୟପୁରରେ ଖେଳାଯାଇଥିବା ଅନ୍ୟ ଏକ ମୁକାବିଲାରେ ପଞ୍ଜାବ ୧୦ ଉଇକେଟ୍‌ରେ ଘରୋଇ ରାଜସ୍ଥାନକୁ ମାତ୍‌ ଦେଇଛି।
ଗ୍ରୁପ୍‌-ଏ ମୁକାବିଲାରେ ମୁମ୍ବାଇ ପ୍ରଥମ ଇନିଂସରେ ପୃଥ୍ବୀ ଶ(୬୬), ଅଜିଙ୍କ୍ୟ ରାହାନେ (୭୯), ସାମ୍‌ ମୁଲାନୀ (୮୯)ଙ୍କ ଅର୍ଦ୍ଧଶତକ ବଳରେ ୪୩୧ ରନ କରିଥିଲା। ଜବାବରେ ଓପନର୍‌ କେଦାର ଦେବଧର (୧୬୦)ଙ୍କ ଶତକ ବଳରେ ବରୋଦା ପ୍ରଥମ ଇନିଂସରେ ୩୦୭ ରନ କରିଥିଲା। ୧୨୪ ରନ ଆଗୁଆ ଥାଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ମୁମ୍ବାଇ ପୃଥ୍ବୀ (୨୦୨)ଙ୍କ ଦ୍ୱିଶତକ ବଳରେ ୪ ଉଇକେଟ୍‌ ହରାଇ ୪୦୯ ରନ କରି ଇନିଂସ ଘୋଷଣା କରିଥିଲା। ଫଳରେ ବରୋଦା ସମ୍ମୁଖରେ ୫୩୪ ରନର ଟାର୍ଗେଟ୍‌ ରହିଥିଲା। ଜବାବରେ ବରୋଦା ୨ୟ ଇନିଂସରେ ୨୨୪ ରନରେ ସୀମିତ ରହିଥିଲା। ସେହିଭଳି ସବାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ରାଜସ୍ଥାନର ପ୍ରଥମ ଇନିଂସ ସ୍କୋର ୨୫୭ ରନ ଜବାବରେ ପଞ୍ଜାବ ଅଧିନାୟକ ମନ୍‌ଦୀପ୍‌ ସିଂ (୧୨୨)ଙ୍କ ଶତକ ସହାୟତାରେ ୩୫୮ ରନ କରିଥିଲା। ରାଜସ୍ଥାନ ୨ୟ ଇନିଂସରେ ୧୬୮ ରନ କରିବା ଫଳରେ ପଞ୍ଜାବ ସମ୍ମୁଖରେ ମାତ୍ର ୬୮ ରନର ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ଭ୍ରମଣକାରୀ ପଞ୍ଜାବ ଏହାକୁ କୌଣସି ଉଇକେଟ୍‌ ନ ହରାଇ ହାସଲ କରିନେଇଥିଲା।

Share