Categories: ଖେଳ

ରଣ୍‌ଜୀ ଟ୍ରଫି: ଶାନ୍ତନୁ-ରାଜେଶଙ୍କ ଶତକୀୟ ଭାଗୀଦାରି

କଟକ ଅଫିସ,୫ା୨- ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଠାରୁ ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ଉଇକେଟ ବିନିମୟରେ ୨୨୦ରନ କରିଛି। ଭୁବନେଶ୍ୱରର ୨୬ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ (୮୪ରନ) ବଳରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳିଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ରାଜେଶ ଧୁପର ମଧ୍ୟ ଚମତ୍କାର ଖେଳି ୬୭ରନରେ ଅପରାଜିତ ଅଛନ୍ତି।
ମହାରାଷ୍ଟ୍ର ଅଧିନାୟକ ଅଙ୍କିତ ବାୱନେ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ପେସ୍‌ ବୋଲର ବସନ୍ତ ମହାନ୍ତିଙ୍କୁ ବିଶ୍ରାମ ଦିଆଯାଇ ସ୍ପିନର ପପୁ ରାୟଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଓପନର ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ପ୍ରାରମ୍ଭରୁ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ପ୍ରଥମ ସେସନ୍‌ର ୧୬ ଓଭର ଖେଳରୁ ଉଭୟ ୨୯ରନ ସଂଗ୍ରହ କରିଥିଲେ। ୨୪ତମ ଓଭରରେ ଦଳୀୟ ସ୍କୋର ୫୦ ଟପିଥିଲା। ୮୭ବଲରୁ ୫ଟି ଚୌକା ଓ ୨ଟି ଛକା ବଳରେ ୪୧ରନ କରିଥିବା ବେଳେ ଅନୁରାଗଙ୍କୁ ଆଉଟ୍‌ କରିଥିଲେ ମହାରାଷ୍ଟ୍ରର ବାମହାତୀ ସ୍ପିନର ସତ୍ୟଜିତ ବଚଭ। ଅନୁରାଗଙ୍କୁ ଏଲବିଡବ୍ଲ୍ୟୁ କରି ମହାରାଷ୍ଟ୍ରକୁ ସେ ପ୍ରଥମ ସଫଳତା ଦେଇଥିଲେ। ପରେ ମହାରାଷ୍ଟ୍ରର ପେସ ଆଟାକ୍‌ ସମ୍ମୁଖରେ ଓଡ଼ିଶାର ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌ ବିଫଳ ହୋଇଥିଲା। ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ୧, ଗୋବିନ୍ଦ ପୋଦ୍ଦାର ୫, ବିପ୍ଳବ ସାମନ୍ତରାୟ ୫ରନରେ ଆଉଟ ହୋଇଥିଲେ। ଅଭିଷେକ ରାଉତ ୧୬ରନ କରିଥିବା ବେଳେ ଦୁର୍ଭାଗ୍ୟବଶତଃ ରନଆଉଟ ହୋଇଥିଲେ। ୯୬ରନରେ ଓଡ଼ିଶା ୫ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ପରେ ଶାନ୍ତନୁ ଓ ରାଜେଶ ୬ଷ୍ଠ ଉଇକେଟରେ ଓଡ଼ିଶା ପାଇଁ ୧୧୪ରନର ବହୁ ମୂଲ୍ୟବାନ ଭାଗିଦାରୀ ଗଢ଼ିଥିଲେ। ଶାନ୍ତନୁ ଅତ୍ୟନ୍ତ ସତର୍କତାର ସହ ମହାରାଷ୍ଟ୍ରର ବୋଲିଂ ଆକ୍ରମଣକୁ ସାମ୍‌ନା କରିଥିଲେ। ଚଳିତ ସିଜନର ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ଶାନ୍ତନୁ ଦ୍ୱିତୀୟ ଶତକ ଠାରୁ ୧୬ରନ ଦୂରରେ ଅଛନ୍ତି। ୧୭୧ବଲ ଖେଳି ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ୨୬୫ବଲରୁ ୭ ଚୌକା ବଳରେ ଶାନ୍ତନୁ ୮୪ରନ କରିଛନ୍ତି। ଅନ୍ୟପକ୍ଷରେ ଉଇକେଟ କିପର ରାଜେଶ ବଡ଼ଶଟ୍‌ ଖେଳିବା ସହ ୭୬ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୦୪ବଲରୁ ୫ଟି ଚୌକା ଓ ୪ଟି ଛକା ବଳରେ ସେ ମୋଟ୍‌ ୬୭ରନ କରିଛନ୍ତି। ରାଜେଶ ମଧ୍ୟ ଏହି ମ୍ୟାଚ୍‌ରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି କହିଛନ୍ତି। ମହାରାଷ୍ଟ୍ର ପକ୍ଷରୁ ଅକ୍ଷୟ ପାଲକାରଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ମନୋଜ ଇନଗେଲ ଓ ସତ୍ୟଜିତ ବଚଭ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।

Share