Categories: ଖେଳ

ରଣ୍‌ଜୀ ଟ୍ରଫି: ସୌରାଷ୍ଟ୍ର-ବେଙ୍ଗଲ ଫାଇନାଲ

ରାଜକୋଟ, ୪।୩ (ପି.ଟି.): ଲଗାତର ୨ୟ ବର୍ଷ ଲାଗି ସୌରାଷ୍ଟ୍ର କ୍ରିକେଟ୍‌ ଦଳ ରଣ୍‌ଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ବୁଧବାର ଘରୋଇ ଦଳ ୯୨ ରନରେ ଗୁଜରାଟକୁ ପରାସ୍ତ କରିଛି। ଭାରତୀୟ ଘରୋଇ କ୍ରିକେଟ୍‌ର ଏହି ସମ୍ମାନଜନକ ଟ୍ରଫି ହାସଲ ପାଇଁ ଫାଇନାଲରେ ସୌରାଷ୍ଟ୍ରର ମୁକାବିଲା ବେଙ୍ଗଲ ସହ ହେବ। ପୂର୍ବରୁ ଅନ୍ୟ ଏକ ସେମିଫାଇନାଲରେ ବେଙ୍ଗଲ ୧୭୪ ରନରେ ୮ଥର ଚାମ୍ପିୟନ କର୍ନାଟକକୁ ମାତ୍‌ ଦେଇ ଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଏହି ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍‌ ସୋମବାରଠାରୁ ଖେଳାଯିବ।
ପକ୍ଷରୁ ଧାର୍ଯ୍ୟ ୩୨୭ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ମଙ୍ଗଳବାର ୪ର୍ଥ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଗୋଟିଏ ଉଇକେଟ୍‌ ହରାଇ ୭ ରନ କରିଥିଲା। ବୁଧବାର କିନ୍ତୁ ସୌରାଷ୍ଟ୍ର ଅଧିନାୟକ ତଥା ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଡକଟଙ୍କ ଅଗ୍ନିବର୍ଷୀ ବୋଲିଂକୁ ସାମ୍ନା କରି ନ ପାରି ଭ୍ରମଣକାରୀ ଦଳ ୭୨.୨ ଓଭରରେ ୨୩୪ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଗୁଜରାଟ ପକ୍ଷରୁ ଚିରାଗ ଗାନ୍ଧୀ ସର୍ବାଧିକ ୯୬ ରନ କରିଥିବାବେଳେ ଅଧିନାୟକ ପାର୍ଥତ୍ବ ପଟେଲ (୯୩) ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। କିନ୍ତୁ ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍ପର୍ଶ କରି ନ ପାରିବା ଗୁଜରାଟ ପାଇଁ ମହଙ୍ଗା ପଡ଼ିଥିଲା। ଓପନର୍‌ ସମିତ୍‌ ଗୋହେଲ (୫), ପ୍ରିୟଙ୍କ ପଞ୍ଚଲ (୦), ଭାର୍ଗବ ମେରାଇ (୧୪), ଧ୍ରୁବ ରାଭାଲ (୫), ରୁଜୁଲ ଭଟ୍ଟ (୧), ଅକ୍ଷର ପଟେଲ (୦), ରସ୍‌ କାଲାରିୟା (୧), ଚିନ୍ତନ ଗାଜା (୪*) ଓ ଅର୍ଜାନ ନାଗଓ୍ବାସଓ୍ବାଲା (୪) ନିରାଶ କରିଥିଲେ।
ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସୌରାଷ୍ଟ୍ର ଶେଲଡନ୍‌ ଜ୍ୟାକସନ (୧୦୪)ଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୩୦୪ ରନ କରିଥିଲା। ଜବାବରେ ଗୁଜରାଟ ପ୍ରଥମ ଇନିଂସରେ ୨୫୨ ରନ କରି ଇନିଂସ ପଛୁଆ ରହିଥିଲା। ୫୨ ରନର ଅଗ୍ରଣୀ ଲାଭ କରିଥିବା ସୌରାଷ୍ଟ୍ର ୨ୟ ଇନିଂସରେ ଅର୍ପିତ ଭାସଭଦାଙ୍କ ୧୩୯ ରନ ବଳରେ ୨୭୪ ରନ କରିଥିଲା। ଅର୍ପିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ସୌରାଷ୍ଟ୍ର ଗତ ବର୍ଷ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ବିଦର୍ଭଠାରୁ ହାରି ରନର୍ସଅପ୍‌ ରହିଥିଲା।

Share