Categories: ଖେଳ

ରଣ୍‌ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ

କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି। ମହାରାଷ୍ଟ୍ର ପ୍ରଥମ ଇନିଂସ ୫୪୩/୫ରେ ଘୋଷଣା କରିବା ସହ ଅଗ୍ରଣୀ ହାସଲ କରିଛି। ଅଧିନାୟକ ଅଙ୍କିତ ବାୱନେ ଅପରାଜିତ ଦ୍ୱିଶତକୀୟ ଇନିଂସ(୨୦୪ରନ) ଖେଳିଛନ୍ତି। ୨୯୩ରନରେ ପ୍ରଥମ ଇନିଂସ ଶେଷ କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ବିନା ଉଇକେଟରେ ୨୪ରନ କରିଛ। ଦଳ ୨୨୬ରନ ପଛରେ ରହିଛି।
ବୁଧବାର ଷ୍ଟମ୍ପ ଅପସାରଣ ସୁଦ୍ଧା ମହାରାଷ୍ଟ୍ର ୨ ଉଇକେଟ ହରାଇ ୨୧୯ରନ କରିଥିଲା। ଋତୁରାଜ ଗାଏକ୍ବାଡ ୧୧୦ ଓ ଅଧିନାୟକ ଅଙ୍କିତ ୮୦ରନରେ ଅପରାଜିତ ଥିଲେ। ୩ୟ ଦିବସ ଖେଳଟି ସମ୍ପୂର୍ଣ୍ଣ ଭାବେ ଘରୋଇ ମହାରାଷ୍ଟ୍ର ଦଳର ଅକ୍ତିଆରରେ ରହିଥିଲା। ଋତୁରାଜ ୧୨୯ରନରେ ଦେବବ୍ରତ ପ୍ରଧାନଙ୍କ ବଲରେ ଆଉଟ ହୋଇଥିଲେ। ଏହି ଉଇକେଟ ପତନ ବେଳକୁ ମହାରାଷ୍ଟ୍ରର ଦଳୀୟ ସ୍କୋର ଥିଲା ୨୪୯/୩। ୪ର୍ଥ ଉଇକେଟରେ ଅଧିନାୟକ ଅଙ୍କିତ ଓ ନୌସାଦ ଶେଖ ପୁର୍ନବାର ଏକ ବିଶାଳ ଭାଗୀଦାରି ସୃଷ୍ଟି କରିଥିଲେ। ଉଭୟ ୧୮୦ରନ ଯୋଡ଼ିବା ସହ ଦଳୀୟ ସ୍କୋର ୪୦୦ଅତିକ୍ରମ କରିଥିଲା। ନୌସାଦ ୧୦୦ରନ କରିଥିବା ବେଳେ ଅଭିଷେକ ରାଉତଙ୍କ ସ୍ପିନ ବୋଲିଂରେ କ୍ୟାଚ୍‌ ଆଉଟ ହୋଇଥିଲେ। ୬ନଂ ବ୍ୟାଟିଂ କ୍ରମରେ କ୍ରିଜକୁ ଆସିଥିଲେ ରାଜସ୍ଥାନ ରୟାଲ୍ସ, ରାଇଜିଂ ପୁନେ ସୁପରଜ୍ୟାଣ୍ଟସ ଭଳି ଆଇପିଏଲ ଦଳରୁ ପ୍ରତିନିଧିତ୍ୱ କରିଥିବା ରାହୁଲ ତ୍ରିପାଠୀ। ରାହୁଲ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ୪୧ବଲରୁ ଅର୍ଦ୍ଧଶତକ ପୂରଣ କରିବା ସହ ୭ ଚୌକା ଓ ୪ ଛକା ବଳରେ ୬୫ରନ କରି ଆଉଟ ହୋଇଥିଲେ। ଇତି ମଧ୍ୟରେ ଅଧିନାୟକ ଅଙ୍କିତ ୨୨୦ବଲରୁ ଶତକ ଓ ୪୦୪ ବଲରୁ ଦ୍ୱିଶତକ ହାସଲ କରିସାରିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଅଭିଷେକ ରାଉତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ସ୍ପିନର ପପୁ ରାୟ ୪୦ଓଭର ବୋଲିଂ କରି ୧୫୧ରନ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ଉଇକେଟ ହାସଲ କରି ପାରି ନ ଥିଲେ। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୧୧ଓଭର ଖେଳି ୨୪ରନ କରିଛି। ଦୁଇ ଓପନର ଶାନ୍ତନୁ ମିଶ୍ର ୧୪ ଓ ଅନୁରାଗ ଷଡ଼ଙ୍ଗୀ ୧୦ରନରେ ଅପରାଜିତ ଅଛନ୍ତି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୯୩।
ମହାରାଷ୍ଟ୍ର ପ୍ରଥମ ଇନିଂସ: ୫୪୩/୫/ଘୋଷଣା(ଅଙ୍କିତ ବାଓ୍ବନେ-୨୦୪*, ଋତୁରାଜ ଗାଏକ୍ୱାଡ-୧୨୯, ନୌସାଦ ଶେଖ-୧୦୦, ରାହୁଲ ତ୍ରିପାଠୀ-୬୫, ସୂର୍ଯ୍ୟକାନ୍ତ ପ୍ରଧାନ-୨/୯୨, ରାଜେଶ ମହାନ୍ତି-୧/୨୪, ଦେବବ୍ରତ ପ୍ରଧାନ-୧/୮୫, ଅଭିଷେକ ରାଉତ-୧/୯୮)।
ଓଡ଼ିଶା ଦ୍ୱିତୀୟ ଇନିଂସ: ୨୪/୦(ଶାନ୍ତନୁ ମିଶ୍ର-୧୪, ଅନୁରାଗ ଷଡ଼ଙ୍ଗୀ-୧୦)।

Share