Categories: ଜାତୀୟ

ରତନ ଟାଟାଙ୍କ ବିରୋଧରେ ମାମଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୪ା୧(ପି.ଟି.): ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଓ ଅନ୍ୟମାନଙ୍କ ବିରୋଧରେ ବମ୍ବେ ଡାଇଙ୍ଗ୍‌ ଅଧ୍ୟକ୍ଷ ନୁସ୍‌ଲି ଓ୍ବାଡିଆ ଦାଏର କରିଥିବା ସମସ୍ତ ମାନହାନି ମାମଲା ସୋମବାର ପ୍ରତ୍ୟାହାର କରିନେଇଛନ୍ତି। ଓ୍ବାଡିଆଙ୍କ ମର୍ଯ୍ୟାଦା ହାନି କରିବାର କୌଣସି ଉଦ୍ଦେଶ୍ୟ ଟାଟା ଓ ଅନ୍ୟମାନଙ୍କର ନ ଥିଲା ବୋଲି ସର୍ବୋଚ୍ଚ ଅଦାଲତ ରେକର୍ଡ କରିବା ପରେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବମ୍ବେ ଡାଇଙ୍ଗ୍‌ ଅଧ୍ୟକ୍ଷଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଅନୁମତି ଦେଇଥିଲେ।
ଟାଟା ଗ୍ରୁପ୍‌ର କେତେକ କମ୍ପାନୀ ବୋର୍ଡରୁ ଓ୍ବାଡିଆଙ୍କୁ ବାଦ୍‌ ଦିଆଯିବା ପରେ ୨୦୧୬ରେ ସେ ରତନ ଟାଟା ଓ ଟାଟା ସନ୍ସର କେତେଜଣ ଡାଇରେକ୍ଟରଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ। ଓ୍ବାଡିଆଙ୍କ ମାନହାନି କରିବା ଟାଟାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ବମ୍ବେ ହାଇକୋର୍ଟ କହିବା ପରେ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏକାଠି ବସି ମତପାର୍ଥକ୍ୟ ଦୂରକରିବା ପାଇଁ ଗତ ୬ ତାରିଖରେ ସର୍ବୋଚ୍ଚ ଅଦାଲତ ଓ୍ବାଡିଆ ଓ ଟାଟାଙ୍କୁ ପରାମର୍ଶ ଦେଇଥିଲେ।

Share