ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂରତି

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱର ସର୍ବବୃହତ ରଥରେ ରଥାରୁଢ଼ ହୋଇ ରତ୍ନବେଦୀକୁ ଭଉଣୀ ଦେବୀ ସୁଭଦ୍ରାଙ୍କୁ ଧରି ଫେରିଛନ୍ତି କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବଜୀଉ ଏବଂ ପ୍ରଭୁ ଶ୍ରୀଜଗନ୍ନାଥ । ବାହୁଡ଼ା ଯାତ୍ରା ପାଇଁ ପ୍ରାତଃ ୪ଟାରୁ ଅବକାଶ ନୀତି ପରେ ୫ଟାରେ ଲୁଗାଲାଗି, ୮ଟାରେ ପ୍ରାତଃ ଧୂପ, ପୂର୍ବାହ୍ନ ୧୦ଟାରେ ପୁଷ୍ପାଞ୍ଜଳ ହୋଇଥିଲା। ୧ଟା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ବଳଦେବଜୀଉଙ୍କ ପହଣ୍ଡି ହୋଇଥିଲା। ପରେ ମା’ ଶୁଭଦ୍ରା ଏବଂ ଶେଷରେ ଜଗନ୍ନାଥ ପହଣ୍ଡିରେ ଆସି ରଥ ପରିକ୍ରମା ପରେ ଚାରମାଳ ଦେଇ ରଥାରୂଢ କରିଥିଲେ। ଶ୍ରୀଜିଉଙ୍କ ପହଣ୍ଡି ସମୟରେ ଭକ୍ତମାନଙ୍କ ହୁଳହୁଳି ଏବଂ ହରିବୋଲରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ପାଗ ଅନୁକୂଳ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା।

ଏହି ଅବସରେରେ ରଥ ସମ୍ମୁଖରେ ତାଳଧଜ ପତ୍ରିକା ଉନ୍ମୋଚିତ ହୋଇଥିଲା। ରଥ ଟଣା ଆରମ୍ଭ ୪.୫୦ରେ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଭକ୍ତ ରଥ ଦଉଡ଼ି ଟାଣି ବଡଦେଉଳରେ ୬.୩୪ ମିନିଟରେ ରଥକୁ ପହଞ୍ଚାଇଥିଲେ।

ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରପହଁରା କରିଥିଲେ। ପହଣ୍ଡି ସମୟରେ ବଡ଼ ପଣ୍ଡା ରାଜକିଶୋର ପଣ୍ଡା, ଏସ୍‌ପି ନିତିନ କୁଶଲକର, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରାମଚନ୍ଦ୍ର କିସ୍କୁ, ପୋଲିସ ଉପଖଣ୍ଡ ଅଧିକାରୀ ମହେନ୍ଦ୍ର ମୁର୍ମୁ, ସୂଚନା ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ, ଟାଉନ ଥାନା ଅଧିକାରୀ ସୁନୀଲ କରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶାନ୍ତି ପୂର୍ଣ୍ଣ ଭାବେ ରଥ ଟଣା ଶେଷ ହେବା ସହ ବଦଦେଉଳକୁ ପହଞ୍ଚି ଥିଲେ ତିନି ଠାକୁର।

Share