ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)- ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୮୫ ଜୁଲାଇ ୧୪ ତାରିଖରେ ଗଣାହୋଇଥିଲା। ସେହି ସମୟର ଗଣନାନୁଯାୟୀ, ଭଣ୍ଡାର ଘରେ ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ୧୨,୮୩୪ ଭରି ୧୩/୪ ଅଣା(ମୂଲ୍ୟବାନ ପଥର ସହିତ) ରହିଛି। ଆଇନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭାରେ ଉପରୋକ୍ତ ତଥ୍ୟ ରଖିଛନ୍ତି। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଏକ ଅଣତାରକା ପ୍ରଶ୍ନ ନଂ-୧୮୧୦ର ଲିଖିତ ଉତ୍ତର ରଖି ଏହା କହିଛନ୍ତି।

ସେହିପରି ଭଣ୍ଡାର ଘରେ ୨୩୬ ଗୋଟି ରୁପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ବାବଦରେ ୧୮,୮୧୫ ଓ ୬ ଅଣା ଭରି(ମୂଲ୍ୟବାନ ପଥର ସହ) ରହିଛି। ଉପରୋକ୍ତ ସାମଗ୍ରୀ ମଧ୍ୟରୁ ୮ ଗୋଟି ସୁନା ମୂର୍ତ୍ତି, ୬ ରୁପା ବାସନ/ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇ ପାରି ନ ଥିବାରୁ ଏହାର ପରିମାଣ ଆକଳନ କରାଯାଇନାହିଁ। ତଥ୍ୟ ରଖାଯାଇଥିବା ସାମଗ୍ରୀ ଓଜନ ମଧ୍ୟରେ ଏହି ଅଳଙ୍କାରଗୁଡିକର ଓଜନ ଅନ୍ତର୍ଭୁକ୍ତ କରାଯାଇନାହିଁ। ବର୍ତ୍ତମାନ ଅଳଙ୍କାରଗୁଡିକର ତନଖି ପାଇଁ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନ ଥିବା ମନ୍ତ୍ରୀ ଲିଖିତ ଉତ୍ତରରେ ସ୍ପଷ୍ଟୋକ୍ତି ଦେଇଛନ୍ତି।

Share