Categories: ରାଜ୍ୟ

ରଥକୁ ସୁରକ୍ଷା ଦିଅନ୍ତି ପାର୍ଶ୍ୱ ଦେବଦେବୀ

ପୁରୀ ଅଫିସ,୧୯ା୬: ଆସନ୍ତା ଜୁଲାଇ ୪ତାରିଖରେ ଅଖିଳ ବ୍ରହ୍ମାଣ୍ଡନାଥ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ରଥଖଳାରେ ତିନିରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ନିର୍ମାଣ କରାଯାଉଛି। ସମଗ୍ର ଭାରତବର୍ଷରେ ଠାକୁରଙ୍କ ଲାଗି ଯେତେ ପ୍ରକାରର ରଥ ତିଆରି ହେଉଛି ସେଥିମଧ୍ୟରୁ ଶ୍ରୀକ୍ଷେତ୍ରର ତିନିରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ। ବହୁ ପ୍ରାଚୀନ ସମୟରୁ ରଥ ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ଏହି ରଥରେ ଦାରୁବିଗ୍ରହମାନେ ଆରୋହଣ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିଥାନ୍ତି। ମହାପ୍ରଭୁଙ୍କ ତିନିରଥରେ ୨୭ ପାର୍ଶ୍ୱ ଦେବଦେବୀଙ୍କ ବିଗ୍ରହ ଶୋଭା ପାଇଥାଏ। ଏମାନେ ରଥକୁ ସୁରକ୍ଷା ଦେଇଥାନ୍ତି। ଏହି ପାର୍ଶ୍ୱ ଦେବଦେବୀଙ୍କ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ବିଶ୍ୱନିୟନ୍ତାଙ୍କ ରଥଯାତ୍ରା ପାଇଁ ପ୍ରତିବର୍ଷ ନୂଆ ରଥ ତିଆରି କରାଯାଇଥାଏ। କିନ୍ତୁ ପାର୍ଶ୍ୱ ଦେବୀଦେବ ପ୍ରତିବର୍ଷ ନିର୍ମାଣ ହୋଇ ନ ଥାନ୍ତି। ନବକଳେବର ବର୍ଷଗୁଡ଼ିକରେ ରୂପକାର ସେବକମାନେ ନିମ୍ବକାଠରେ ପାର୍ଶ୍ୱ ଦେବଦେବୀଙ୍କ ବିଗ୍ରହ ନିର୍ମାଣ କରିଥାନ୍ତି। ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡ଼ିକୁ ରଙ୍ଗ କରିଥାନ୍ତି। ଆବଶ୍ୟକ ପଡ଼ିଲେ ରୂପକାର ସେବକମାନେ ଏହାର ମରାମତି କାର୍ଯ୍ୟ କରିଥାନ୍ତି। ରଥଯାତ୍ରାର ୨ଦିନ ପୂର୍ବରୁ ପ୍ରତି ରଥରେ ୯ ମୂର୍ତ୍ତି ଲେଖାଏ ପାର୍ଶ୍ୱ ଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଯେଉଁ ୯ ପାର୍ଶ୍ୱ ଦେବତା ଅଧିଷ୍ଠିତ ହୁଅନ୍ତି ସେମାନେ ହେଲେ ହରିହର, ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ରାବଣ ଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ, ଲକ୍ଷ୍ମଣ ଓ ପଞ୍ଚମୁଖୀ ହନୁମାନ। ସେହିପରି ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ରହୁଥିବା ଦେବତାମାନେ ହେଲେ ପ୍ରଳମ୍ବାରୀ ମହାଦେବ, ବାଇଶଭୁଜ ନୃସିଂହ, ବଳରାମ, ନଟବର ଗଣେଶ, ଅଙ୍ଗଦ, ନାଟାମ୍ବର, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁ କୈଟଭ ଏବଂ ଅନନ୍ତ ବାସୁଦେବ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଯେଉଁ ଦେବୀମାନେ ରୁହନ୍ତି ସେମାନେ ହେଲେ ବିମଳା, ମଙ୍ଗଳା, ବରାହୀ, ଭଦ୍ରକାଳୀ, ଉମା, କାତ୍ୟାୟନୀ, ହରଚଣ୍ଡୀ, ରାମଚଣ୍ଡୀ ଏବଂ ଅଘୋରା। ଏହିପରି ଭାବେ ତିନିରଥରେ ୨୭ ଜଣ ପାର୍ଶ୍ୱ ଦେବଦେବୀ ଅବସ୍ଥାନ କରିଥାନ୍ତି। ଏମାନେ ରଥକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥାନ୍ତି ବୋଲି ଗବେଷକ ଡ. ଦାଶ ମତବ୍ୟକ୍ତ କରିଛନ୍ତି।

Share