ରଥଖଳାରେ କାମ ପାଇଁ ଶ୍ରଦ୍ଧାଭାବ ଆବଶ୍ୟକ

ନନ୍ଦିଘୋଷ ରଥର ଅନ୍ୟତମ ବରିଷ୍ଠ ରୂପକାର ଲିଙ୍ଗରାଜ ମହାପାତ୍ର। ୫ବର୍ଷ ବୟସରେ ସେ ବାପା ଶ୍ରୀଧରଙ୍କ ସହିତ ରଥଖଳାକୁ ଆସିଥିଲେ। ଜେଜେ ବାପା ଆର୍ତ୍ତତ୍ରାଣଙ୍କଠାରୁ ସେ ବାରିସୀ, ନିହଣ ଧରିବା ଶିଖିଥିଲେ। ଲିଙ୍ଗରାଜ କହିଛନ୍ତି, ସ୍କୁଲ ଛୁଟି ହେଲେ ବହିବସ୍ତାନି ସହ ରଥଖଳାକୁ ଚାଲି ଆସୁଥିଲି। ଏବେ ମୋ’ ସହ ୩ଭାଇଙ୍କ ସମେତ ପୁଅ ପ୍ରକାଶ ଏବଂ ପୁତୁରାମାନେ କାମ କରୁଛନ୍ତି। ରଥଖଳାକୁ ଆସିବା ପୂର୍ବରୁ ଦାଣ୍ଡଦୁଆରରେ ପତିତପାବନ ଓ ନୀଳଚକ୍ର ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଥାଏ। ମହାପ୍ରଭୁଙ୍କ ଦୟାରୁ ଆଜିପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ। ଜୀବନରେ ବହୁ ବାଧାବିଘ୍ନ ଆସିଛି। ମାତ୍ର ବିଚଳିତ ନ ହୋଇ ମହାପ୍ରଭୁଙ୍କୁ ସ୍ମରଣ କରିଛି। ସବୁ ସମସ୍ୟା ଲାଘବ ହୋଇଯାଇଛି। ରଥଖଳାରେ କାମ କରିବା ଲାଗି ମନରେ ଶ୍ରଦ୍ଧା ଓ ନିଷ୍ଠାଭାବ ରହିବା ଆବଶ୍ୟକ। ମୁଁ ମହାପ୍ରଭୁଙ୍କ ସେବାରେ ଲାଗିଥିବାରୁ ନିଜକୁ ଧନ୍ୟ ମନେ କରେ। ଏଥିରୁ ଆନନ୍ଦ ମିଳେ। ରଥକାମ ସମୟରେ ଯେତେ କାମ ଥିଲେ ମଧ୍ୟ ମୁଁ ପୁରୀ ଛାଡ଼ିି ଅନ୍ୟତ୍ର କେଉଁଆଡେ ଯାଏ ନାହିଁ। ଯେଉଁଠିକୁ ଯାଇଥିଲେ ମଧ୍ୟ ଅକ୍ଷୟତୃତୀୟା ପୂର୍ବରୁ ଏଠାକୁ ଚାଲିଆସେ।

Share