ରଥଖଳାରେ ସମୟ ଜଣାପଡ଼େନି : ସେବକ ବାଳକୃଷ୍ଣ ମହାରଣା

ତାଳଧ୍ୱଜ ରଥର ମହାରଣା ସେବକ ବାଳକୃଷ୍ଣ ମହାରଣା। ବଡ ବାପା ନରସିଂହ ଓ ବାପା ଲକ୍ଷ୍ମଣ ମହାରଣାଙ୍କ ହାତ ଧରି ଯୁବାବସ୍ଥାରେ ରଥଖଳାକୁ ଚାଲି ଆସିଥିଲେ। ପିଲା ବେଳେ ବାପାଙ୍କ ନିର୍ଦ୍ଦେଶ କ୍ରମେ କାଠ ହାଣିବା କାମ ଆରମ୍ଭ କରି ପରେ ଧୀରେ ଧୀରେ ରଥର ଅନ୍ୟାନ୍ୟ କାମ ଶିକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ବ୍ୟବଧାନରେ କିପରି କାମ ସରିବ, ନିଖୁଣ ଭାବେ କରାଯିବ, ସେ ନେଇ ବାପା ସବୁବେଳେ ତାଗିଦ୍‌ କରୁଥିବା ସେ କୁହନ୍ତି। ଯୁବାବସ୍ଥାରେ ତାଙ୍କ ଗାଳି, ତାଗିଦ୍‌, ପ୍ରେରଣା ଆଜି ମୋତେ ରଥ ନିର୍ମାଣରେ ବେଶ୍‌ ସହାୟକ ହୋଇଛି ବୋଲି ବାଳକୃଷ୍ଣ କୁହନ୍ତି। କେଉଁ ସମୟରେ କ’ଣ କରାଯିବ, ବିଧିବିଧାନ କ’ଣ ରହିଛି, ସେ ସବୁ ବାପା ଓ ବଡବାପାଙ୍କ ଠାରୁ ଶିକ୍ଷିଛି। ୨୦୧୫ରେ ଶାଢି ବନ୍ଧାଇଥିଲେ ବାଳକୃଷ୍ଣ। ରଥ ନିର୍ମାଣ ବେଳେ ବହୁ ବାଧାବିଘ୍ନ ଆସେ। ଅସାବଧାନତାରୁ ବେଳେବେଳେ ଅଘଟଣ ଘଟେ। କାହାର ହାତ କଟିଲାଣି ତ କାହାର ଗୋଡ କଟିଲାଣି। ବାରିସି ଆଘାତରେ ମହାରଣାମାନେ ଆହତ ହୁଏନ୍ତି। ଏହା ସତ୍ତ୍ବେ କାମରେ ଆନନ୍ଦ ଲାଗେ। ଦେଖୁ ଦେଖୁ ଦିନ ଗଡି ରାତି ଆସିଯାଏ, ପୁଣି ସକାଳ ହେଲେ ରଥଖଳାରେ ହାଜର। ଏଠାରେ ଥିବା ପର୍ଯ୍ୟନ୍ତ ଭୋକଶୋଷ ନ ଥାଏ।
ଅକ୍ଷୟତୃତୀୟା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ରଥଖଳାରେ କାମ ଜାରି ରହିଥାଏ। କିପରି ଏହି ସମୟ କଟିଯାଏ ତାହା ଜଣାପଡେନି। ଏ ସବୁ ମହାପ୍ରଭୁଙ୍କ ଇଚ୍ଛା। ତାଙ୍କ ବିନା କିଛି ସମ୍ଭବ ନୁହଁ। ଚଳିତବର୍ଷ ରଥକାମ ବିଳମ୍ବରେ ଚାଲିଛି, ନିର୍ଦ୍ଧାରିତ ସମୟ ପୂର୍ବରୁ ରଥକାମ ସରିବ ନାହିଁ ବୋଲି ରୀତିମତ ଭାବେ ଚର୍ଚ୍ଚା ହେଉଛି। ତେବେ ରଥକାମ ଦ୍ରୁତ ଗତିରେ ଚାଲିଛି। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ଏକ ଅନୁଭୂତି ସମ୍ପର୍କରେ ସେ କୁହନ୍ତି, କିଛି ବର୍ଷ ତଳେ ରଥଖଳା ଚାଲିଥାଏ। ବର୍ଷା ସମୟ। ଝଡତୋଫାନ ଲାଗି ରହିଥାଏ। ଅନଦ୍ରମାନଙ୍କ ଭୟ ରହିଥିଲା। ରଥକାମ କିପରି ହେବ। ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥକାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଯାଇଥିଲା। ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାମ ହୁଏନି। ସେ ଲୀଳାମୟ ଠାକୁର। ଶ୍ରୀମନ୍ଦିରରେ ବସି ଲୀଳା କରୁଛନ୍ତି। ଭାବର ଠାକୁର, ତାଙ୍କୁ ଭକ୍ତି ମନରେ ଥରେ ଡାକିଦେଲେ, ସବୁକାମ ସହଜରେ ହୋଇଯାଏ ବୋଲି ସେ କହିଥିଲେ।