ରଥଯାତ୍ରା ନେଇ ଆଜି ହେବ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ପୁରୀ ରଥଯାତ୍ରା ଆୟୋଜନକୁ ନେଇ ଲାଗି ରହିଥିବା ଅନିଶ୍ଚିନ୍ତତାର ଅନ୍ତ ଘଟିବ। ଚଳିତବର୍ଷ ରଥଯାତ୍ରା ନ କରିବାକୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଫାଇଲ ହୋଇଥିବା ଆବେଦନର ଶୁଣାଣି ଗୁରୁବାର ହେବ। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ହୃଷୀକେଶ ରୟ ଏବଂ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍‌ ୨୩ ତାରିଖରେ ଶ୍ରୀଜିଉଙ୍କ ରଥଯାତ୍ରା ଆୟୋଜନ ନ କରିବାକୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏହି ଆବେଦନ କରାଯାଇଛି। ପରିଷଦର ଯୁକ୍ତି ଅନୁଯାୟୀ, ଯଦି କୌଣସି ବିଶାଳ ଜନ ସମାବେଶର ଆୟୋଜନ କରାଯାଏ ତା ହେଲେ ପରବର୍ତ୍ତୀ ସମୟରେ ସଂକ୍ରମଣକୁ ରୋକିବା ସମ୍ଭବ ହେବନାହିଁ ଏବଂ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତ ମେ’ ୩୦ରେ କୁହାଯାଇଥିଲା। ତେଣୁ ଲୋକଙ୍କ ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ରଥଯାତ୍ରା ସ୍ଥଗିତ କରିବା କିମ୍ବା ରଥର ପ୍ରତିକୃତି ନିର୍ମାଣ କରି ଶ୍ରୀମନ୍ଦିର ପରିସରରେ ରଥଯାତ୍ରାର ଆୟୋଜନ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଗୁରୁବାର ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ଏଥିରେ ରଥଯାତ୍ରା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ପୁରୀ ରଥଯାତ୍ରା ନେଇ ବୈଠକରେ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେଣୁ ଗୁରୁବାର ସନ୍ଧ୍ୟାସୁଦ୍ଧା ରଥଯାତ୍ରା ଆୟୋଜନ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କୁହାଯାଇଛି। ଏପଟେ କୋଭିଡ୍‌ ସମୟରେ ରଥଯାତ୍ରା ହେବ କି ନାହିଁ ଏବଂ ଯଦି ହେବ କିଭଳି କରାଯିବ ସେନେଇ ରାଜ୍ୟ ସରକାର କରିଥିବା ମୌନବ୍ରତକୁ ଭାଜପା ନେତା ବିଜୟ ମହାପାତ୍ର ବୁଧବାର ସମାଲୋଚନା କରିଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଚୁପ୍‌ ନ ରହି ତୁରନ୍ତ ଚୂଡାନ୍ତ ନିଷ୍ପତ୍ତି ନେବାପାଇଁ ବିଜୟ କହିଛନ୍ତି। ପ୍ରକାଶ ଯେ, ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସମ୍ଭବ ନୁହେଁ ଦର୍ଶାଇ ଏବଂ ପୁରୀ ରଥଯାତ୍ରା ଉପରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ୍‌ ଦାଖଲ କରାଯାଇଥିଲା। ଓଡିଶା ସରକାର ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ଏବଂ ମେଶିନ କିମ୍ବା ହାତୀ ଦ୍ୱାରା ରଥ ଟାଣିବା କଥା ସରକାର ବିଚାର କରିବେ ବୋଲି ହାଇକୋର୍ଟ ରାୟ ଦେବାପରେ ଏହି ବିବାଦ ଉଠିଛି॥

Share