ଭୁବନେଶ୍ୱର, ୧୫।୪(ବ୍ୟୁରୋ): ଜୁନ୍ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଦିନ ପାଖେଇ ଆସୁଥିବାବେଳେ ରଥ ନିର୍ମାଣ ପାଇଁ ପୁରୀରେ ରଥକାଠ ପହଞ୍ଚତ୍ସାରିଛି। କିନ୍ତୁ କରୋନା ବିରୋଧରେ ଲଢ଼େଇ ଚାଲିଥିବାରୁ ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଏବେ ବିଚାରବିମର୍ଷ ଚାଲିଛି। କରୋନା ସଂକ୍ରମଣ କେବେ ନିୟନ୍ତ୍ରଣକୁ ଆସିବ ତାହା କହିହେଉ ନାହିଁ। ଏପରିସ୍ଥଳେ ରଥଯାତ୍ରା କିପରି ହେବ ତାହାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ରହିଛନ୍ତି। ତେବେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ସେପଟେ ଆସନ୍ତା ୨୬ ତାରିଖରେ ଚନ୍ଦନ ଯାତ୍ରା ପଡ଼ୁଛି। ଲକ୍ଡାଉନ୍ ଜାରି ରହିଥିବାରୁ ଠାକୁରଙ୍କ ନୀତିକାନ୍ତି କେମିତି ହେବ ସେ ନେଇ ସେବାୟତମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ସାମାଜିକ ଦୂରତ୍ୱ ବଜାୟ ରଖି ଚନ୍ଦନ ଯାତ୍ରାର ସମସ୍ତ ନୀତିକାନ୍ତି ସମ୍ପାଦନ କରାଯିବ। ଚଳିତବର୍ଷ ଚନ୍ଦନ ଯାତ୍ରା ବିନା ଭକ୍ତରେ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ବିଧିବଦ୍ଧ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିରର ଜଣେ ସେବାୟତ କହିଛନ୍ତି। ଅନ୍ୟପକ୍ଷରେ ଚନ୍ଦନ ଯାତ୍ରା ପରେ ଘୋଷଯାତ୍ରା କଥା ବିଚାର କରାଯିବ। ଯଦି ମହାମାରୀ କରୋନା ସ୍ଥିତିରେ କୌଣସି ପରିବର୍ତ୍ତନ ନ ହୁଏ ତେବେ ମହାପ୍ରଭୁଙ୍କ ଘୋଷଯାତ୍ରା ମଧ୍ୟ ବିନା ଭକ୍ତରେ ସମ୍ପନ୍ନ କରାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇପାରେ।