ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ ଅଫିସ,୨୨।୫: କରୋନା ଭୂତାଣୁ ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଏହା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଗୁରୁବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ନାମକ ଏକ ସଙ୍ଗଠନ ପକ୍ଷରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ଏତଲା ଦେଇଥିବା ବେଳେ ହାଇକୋର୍ଟ ମାମଲାକୁ ଗ୍ରହଣ କରିଛନ୍ତି।
ଆବେଦନକାରୀ ଦର୍ଶାଇଛନ୍ତି, କରୋନା ମୁକାବିଲା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ହୋଇଛି। ଜୁନ୍‌ ୨୩ରେ ରଥଯାତ୍ରା। ରଥଯାତ୍ରା ବେଳେ ରାଜ୍ୟ ଓ ବାହାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ଯାତ୍ରା ହେଲେ ଏହା ପରିସ୍ଥିତିକୁ ଅଧିକ ଖରାପ କରିବ। ବିଭିନ୍ନ କାରଣରୁ ଗତ ୪୨୫ ବର୍ଷ ଭିତରେ ୩୨ ଥର ରଥଯାତ୍ରା ବନ୍ଦ ରହିଛି। ଚଳିତବର୍ଷ ମଧ୍ୟ ରଥଯାତ୍ରା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ମାମଲାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ରାଜ୍ୟ ମୁଖ୍ୟ ଶାସନସଚିବ, ଗୃହ ବିଭାଗ ସଚିବ, ଆଇନ ସଚିବ, ସ୍ବାସ୍ଥ୍ୟ ସଚିବ, ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ, ଦେବୋତ୍ତର ବିଭାଗ କମିଶନର, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ପୁରୀ ଜିଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Share