ରଥଯାତ୍ରା ସମ୍ପର୍କିତ ଜନସ୍ବାର୍ଥ ମାମଲା: ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୩ା୬: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ବାତିଲ କରିବା ପାଇଁ ହାଇକୋର୍ଟରେ ଯେଉଁ ଜନସ୍ବାଥର୍ର୍ ମାମଲା ରୁଜୁ ହୋଇଥିଲା, ସେଥିରେ ମଙ୍ଗଳବାର ରାଜ୍ୟ ସରକାର ନିଜ ପକ୍ଷ ରଖିଛନ୍ତି। କେବଳ ‘ବିଧି ଓ ବିଧାନ’ ପାଇଁ ରଥଯାତ୍ରା ଆୟୋଜିତ ହେବ। ଭକ୍ତଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବ ନାହିଁ। କିନ୍ତୁ ସେମାନଙ୍କ ପାଇଁ ଟିଭିରେ ଯାତ୍ରାର ସିଧା ପ୍ରସାରଣ ହେବ। ପୁରୀ ସହରକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବ। ରଥଯାତ୍ରା ଆୟୋଜନ ବେଳେ କରୋନା କୋଭିଡ୍‌-୧୯ ପାଇଁ ଥିବା ଗାଇଡଲାଇନ୍‌ର କୌଣସି ପ୍ରକାର ଉଲ୍ଲଂଘନ ହେବନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା ଯୁକ୍ତି ରଖିଥିଲେ। ତେବେ ସରକାର କିଭଳି ବିନା ଭକ୍ତରେ ରଥଯାତ୍ରା ଆୟୋଜନ ପାଇଁ ଯୋଜନା କରିଛନ୍ତି, ସେନେଇ ସବିଶେଷ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତିନି ରଥ ଟାଣିବା ପାଇଁ ବହୁ ଭକ୍ତଙ୍କ ଆବଶ୍ୟକତା ରହିଛି। ଯଦି ଭକ୍ତ ନ ରହିବେ, କେଉଁମାନେ ରଥ ଟାଣିବେ। କେତେ ସଂଖ୍ୟକ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ ଓ ପୁରୀ ସହରକୁ କିଭଳି ସିଲ୍‌ କରାଯିବ, ସେନେଇ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଓ ବିଚାରପତି ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆସନ୍ତା ୯ରେ ପରବର୍ତ୍ତୀ ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଚଳିତ ବର୍ଷ ରଥଯାତ୍ରା ବାତିଲ କରିବା ପାଇଁ ନିବେଦନ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆଉ ୪ଟି ହସ୍ତକ୍ଷେପ ଯାଚିକା (ଇଣ୍ଟରଭେନ୍ସନ ପିଟିସନ୍‌) ଦାଖଲ କରାଯାଇଥିଲା। କୋର୍ଟ ସେହି ୪ଟି ଯାଚିକାକୁ ମଧ୍ୟ ଗ୍ରହଣ କରିଛନ୍ତି। ସେମାନଙ୍କ ପକ୍ଷରୁ ଆଇନଜୀବୀ ବିଜୟ ରଗଡ଼ ଓ ମାନସ ମହାପାତ୍ର ଯୁକ୍ତି ରଖିଥିଲେ।

Share