ରଥଯାତ୍ରା ସିଧା ପ୍ରସାରଣ ପାଇଁ ନିଲାମ: ଭାଗନେଇଛନ୍ତି ୭ ଟିଭି ଚ୍ୟାନେଲ, ଆଜି ନିଷ୍ପତ୍ତି

ପୁରୀ ଅଫିସ,୧୧।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥର ନିଲାମ ଡକାଯାଇଥିଲା। ନିଲାମ ଜରିଆରେ ଗୋଟିଏ ଟିଭି ଚ୍ୟାନେଲକୁ ହିଁ ସିଧା ପ୍ରସାରଣ ଅଧିକାର ଦିଆଯିବ ବୋଲି ମନ୍ଦିର ପ୍ରଶାସନ ସ୍ଥିର କରିଛି। ୧୦ତାରିଖ ସୁଦ୍ଧା ଏହି ନିଲାମ ପ୍ରକ୍ରିୟାରେ ଭାଗନେବାକୁ ଟିଭି ଚ୍ୟାନେଲଗୁଡ଼ିକୁ ଆହ୍ବାନ କରାଯାଇଥିଲା। ସେହି ଅନୁଯାୟୀ ଏଥିରେ ୭ଟି ଚ୍ୟାନେଲ ଭାଗନେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୋମବାର ଅପରାହ୍ନ ସାଢେ ୪ଟାରେ ନିଲାମରେ ଭାଗନେଇଥିବା ଚ୍ୟାନେଲ ଅଧିକାରୀମାନେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ, ଉନ୍ନୟନ ପ୍ରଶାସକ ବିଶ୍ୱନାଥ ସାହୁ, ସୁରକ୍ଷା ପ୍ରଶାସକ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ଭାଗନେଇଥିବା ଟିଭି ଚ୍ୟାନେଲ ଅଧିକାରୀମାନଙ୍କ ଉପସ୍ଥିତିରେ ଟେଣ୍ଡର ପେପର ଖୋଲାଯାଇଥିଲା। ଏଥିରେ ଓଟିଭି ସର୍ବାଧିକ ୫୪ଲକ୍ଷ ଟଙ୍କାର ଟେଣ୍ଡର ପେପର ପକାଇଥିବାବେଳେ ଏମ୍‌ବିସି ୩୬ଲକ୍ଷ, ନ୍ୟୁଜ୍‌୧୮ ୧୫ଲକ୍ଷ, କଳିଙ୍ଗ ଟିଭି ୧୦ଲକ୍ଷ, ପ୍ରାର୍ଥନା ଚ୍ୟାନେଲ ୧୦ଲକ୍ଷ, ସାଧନା ଚ୍ୟାନେଲ ୪ଲକ୍ଷ ୪୪ହଜାର ୪୪୪ ଟଙ୍କା ୪୪ ପଇସା ଏବଂ କନକ ଟିଭି ୧ଲକ୍ଷ ୨୫ହଜାର ଟଙ୍କାର ଟେଣ୍ଡର ପେପର ପକାଇଛନ୍ତି। ତେବେ କିଏ ସିଧା ପ୍ରସାରଣ ଅଧିକାର ପାଇବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ମଙ୍ଗଳବାର ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ କହିଛନ୍ତି।

Share