ପୁରୀ ଅଫିସ, ୨୧।୬: ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ସ୍ବମୁଖରେ ନିର୍ଦ୍ଦେଶ ଦେଇଥିଲେ। ସେହି କାଳରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ପାରମ୍ପରିକ ରୀତିରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଆସୁଛି। ଠାକୁରମାନେ ପତିତଉଦ୍ଧାର କରିବା ପାଇଁ ଏହି ଯାତ୍ରା କରିଥାନ୍ତି। ତେଣୁ ଏହି ଯାତ୍ରାକୁ ପତିତପାବନ ଯାତ୍ରା ବୋଲି କୁହାଯାଇଥାଏ। ଏଥିପାଇଁ ଦାରୁବିଗ୍ରହ ରତ୍ନସିଂହାସନରୁ ଓହ୍ଲାଇ ବଡ଼ଦାଣ୍ଡକୁ ଆସନ୍ତି। ରଥରେ ବସି ଜନ୍ମବେଦୀକୁ ଯାତ୍ରା କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ଲଙ୍ଗଳଧ୍ୱଜ ରଥ ସିଂହାସନ ଉପରେ ରଥର ଅଧିଶ୍ୱର ଦେବତା ଭାବେ ତିନିବିଗ୍ରହ ଶ୍ରୀବଳଭଦ୍ର ଏବଂ ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ ଅବସ୍ଥାନ କରିଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗରୁଡ଼ଧ୍ୱଜ ରଥର ସିଂହାସନ ଉପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ବିଜେ କରିଥାନ୍ତି। ସେହିପରି ଦେବୀ ସୁଭଦ୍ରାଙ୍କର ପଦ୍ମଧ୍ୱଜ ରଥରେ ସିଂହାସନ ଉପରେ ରଥର ଅଧିଶ୍ୱର ଦେବତା ଭାବରେ ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନ ବିଜେ କରିଥାନ୍ତି। ଠାକୁରମାନେ ରତ୍ନସିଂହାସନରେ ବିଜେ କରିଥିବା ସମୟରେ ଯେଉଁଭଳି ବଡ଼ଦେଉଳରେ ଦ୍ୱାରପାଳ ରହିଥାନ୍ତି ସେହିପରି ରଥର ସିଂହାସନ ଉପରେ ବିଜେ କରିଥିବା ସମୟରେ ମଧ୍ୟ ଦ୍ୱାରପାଳ ରହିବା ବିଧି ରହିଛି। ସେଥିପାଇଁ ପ୍ରତ୍ୟେକ ରଥରେ ସ୍ବତନ୍ତ୍ର ଦ୍ୱାରପାଳମାନେ ରହିଥାନ୍ତି। ଲଙ୍ଗଳଧ୍ୱଜ ରଥର ଦ୍ୱାରପାଳ ହେଲେ ନନ୍ଦ ଓ ସୁନନ୍ଦ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାରପାଳଦ୍ୱୟ ହେଲେ ଜୟ ଓ ବିଜୟ। ସେହିପରି ଦେବୀ ସୁଭଦ୍ରାଙ୍କର ପଦ୍ମଧ୍ୱଜ ରଥର ଦ୍ୱାରପାଳ ହେଲେ ଗଙ୍ଗା ଓ ଯମୁନା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା କାଳରେ ଠାକୁରମାନଙ୍କ ସହିତ ରଥର ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାନ କରି ଦ୍ୱାରପାଳମାନେ ମଧ୍ୟ ଏହି ମହାନ ଯାତ୍ରାରେ ସାମିଲ ହୋଇଥାନ୍ତି।