Categories: ମେଟ୍ରୋ

ରଥ ଚକାତଳେ ଗଲା ବାଳକଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୫।୭ : ଖୋର୍ଦ୍ଧା ଜିଲା ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥ ଚକା ତଳେ ପଡି ଗୁରୁବାର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିଆଙ୍ଗ ସାହି ଅକ୍ଷୟ ପାତ୍ରଙ୍କ ପୁଅ ସୁନିଲ (୭)। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କ୍ଷତିପୂରଣ ଦାବିରେ ସନ୍ଧ୍ୟା ୬ଟାରେ ମୃତଦେହକୁ ବାଣପୁର ଥାନା ସମ୍ମୁଖରେ ରଖି ଧାରଣା ଦିଆଯାଇଥିଲା। ଥାନା ସମ୍ମୁଖରେ ଟାୟାର ଜାଳି ବାଣପୁର ବଜାର ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଥିଲେ। ବାଣପୁରରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁସାରେ, ଚରଣ ଚକାଦେବଙ୍କ ରଥ ଟଣା ହେଉଥିବାବେଳେ ଏକ ଖାଲ ପଡିଥିଲା। ଖାଲଟିରେ ଚକ ପଡିଯିବାରୁ ରଥ ଏପଟସେପଟ ହୋଇଥିଲା। ସେହି ସମୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ନିକଟରେ ଥିବା ସୁନୀଲ ରଥ ଚକ ତଳେ ପଡି ଯାଇଥିଲେ। ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଣପୁର ଓ ପରେ ବାଲୁଗଁା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବାଲୁଗଁାରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଧାରଣାସ୍ଥଳରେ ବାଲୁଗଁା ଏସଡିପିଓ ସୁନୀଲ ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ବିଧାୟକ ରଘୁନାଥ ସାହୁ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ରେଡକ୍ରଶ ପକ୍ଷରୁ ୨୦ ହଜାର, ବିଧାୟକ ଜଗଦ୍ଦେବ ୧୦ ହଜାର ଟଙ୍କା ସହାୟତା ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Share