Categories: ରାଜ୍ୟ

ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ: ନୟାଗଡ଼ରେ ୩ଟା ୩୦ରେ ହେବ ରଥଟଣା

ନୟାଗଡ଼ ଅଫିସ,୩।୭: ଗୁରୁବାର ଘୋଷଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ନୟାଗଡ଼ ସହର ଓଲ୍ଡଟାଉନ୍‌ଠାରେ ଥିବା ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇପଡ଼ିଛି। ରଥରେ କାରିଗର ସେମାନଙ୍କର ଶେଷ ସ୍ପର୍ଶ ଦେଇଥିବାବେଳେ ଭକ୍ତମାନେ ଅପେକ୍ଷା କରିଛନ୍ତି ଗୁରୁବାର ରଥଟଣାର ସେହି ପବିତ୍ର ମୁହୂର୍ତ୍ତକୁ। ସର୍ବୋପରି ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖିବା ପାଇଁ ।
୧ଟା ୩୦ରେ ହେବ ଛେରାପହଁରା

ଅପରାହ୍ନ ୧ଟା ୩୦ରେ ରାଜା ରାମେଶ୍ୱର ପ୍ରତାପ ସିଂ ମାନ୍‌ଧାତା ଛେରାପହଁରା କରିବେ ବୋଲି ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି। ଗୁରୁବାର ପୂର୍ବାହ୍ନ ୯ଟାରେ ରଥପ୍ରତିଷ୍ଠା, ୧୦ଟା ୩୦ରେ ପହଣ୍ଡି ବିଜେ ଓ ୩ଟା ୩୦ରେ ରଥଟଣା ହେବ। ଜଗନ୍ନାଥ, ବଳଭଦ୍ରଙ୍କ ରଥରେ ୧୨ଟି ଲେଖାଏ ଚକ ଲାଗିଥିବା ବେଳେ ସୁଭଦ୍ରାଙ୍କ ରଥରେ ୮ଟି ଚକ ଲଗାଯାଇଛି।
ସୁରକ୍ଷା ପାଇଁ ୧ ପ୍ଲାଟୁନ୍‌ ଫୋର୍ସ
ରଥଯାତ୍ରାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ୧.୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ଜଣେ ଡିଏସ୍‌ପି, ୨ ଜଣ ଇନ୍ସପେକ୍ଟର, ୧୫ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ହାବିଲଦାର, କନ୍‌ଷ୍ଟେବଳ ଓ ହୋମଗାର୍ଡ଼ଙ୍କୁ ନିଯୁକ୍ତି କରାଯାଇଥିବା ଡିଆଇବି ଡିଏସ୍‌ପି ସୁବାସ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।
ପୁରୀକୁ ଯିବ ତିନୋଟି ସ୍ବତନ୍ତ୍ର ଟ୍ରେନ୍‌
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ନୟାଗଡ଼ ଟାଉନ ଷ୍ଟେଶନରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ସେହିଭଳି ପ୍ରତିଦିନ ଭଳି ପୁରୀକୁ ଯାଉଥିବା ୨ ଟ୍ରେନ୍‌ ମଧ୍ୟ ଚଳାଚଳ କରିବ। ଫଳରେ ୫ଟି ଟ୍ରେନ୍‌ରେ ନୟାଗଡ଼ ଟାଉନ ଷ୍ଟେଶନରୁ ଯାତ୍ରୀମାନେ ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇପାରିବେ। ଗୁଣ୍ଡିଚାଯାତ୍ରା, ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଏବଂ ସୁନାବେଶ ଦିନ ନୟାଗଡ଼ ଟାଉନ ଷ୍ଟେଶନରୁ ପୁରୀକୁ ଯିବା ପାଇଁ ତିନୋଟି ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୦ଟା ୨୦ରେ ପ୍ରଥମ ଟ୍ରେନ୍‌ , ଅପରାହ୍ନ ୨ଟା ୩୦ରେ ଦ୍ୱିତୀୟ ଟ୍ରେନ୍‌ ଓ ସନ୍ଧ୍ୟା ୭ଟାରେ ତୃତୀୟ ଟ୍ରେନ୍‌ ନୟାଗଡ଼ ଟାଉନ ଷ୍ଟେଶନରୁ ଖୋର୍ଦ୍ଧାରୋଡ଼କୁ ଯିବ । ଏହାପରେ ସେଠାରୁ ଅନ୍ୟ ଟ୍ରେନ୍‌ରେ ଯାତ୍ରୀମାନେ ପୁରୀକୁ ଯାଇପାରିବେ ବୋଲି ସୂଚନା ମିଳିଛି। ସେହିଭଳି ସବୁଦିନ ପରି ସକାଳ ୫ଟା ଓ ୯ଟା ୨୦ ରେ ପୁରୀକୁ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ନୟାଗଡ଼ ଟାଉନ ଷ୍ଟେଶନ ମାଷ୍ଟର ଶାନ୍ତନୁ କୁମାର ଦାଶ ସୂଚନା ଦେଇଛନ୍ତି।

Share