ରନ୍ଧନ ଗ୍ୟାସ୍‌ ଗୋଦାମ୍‌ରେ ସିଲିଣ୍ଡର ଲିକ୍‌

ପଡ଼ିଆ,୩୦ା୪: ଗ୍ୟାସ୍‌ ସିଲିଣ୍ଡର୍‌ ଲିକ୍‌ ଯୋଗୁ ମାଲକାନଗିରି ଜିଲା ପଡ଼ିଆସ୍ଥିତ ଇଣ୍ଡେନ୍‌ ଗ୍ୟାସ୍‌ ବିତରଣ କେନ୍ଦ୍ରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣାରୁ ପ୍ରକାଶ ଯେ, ପୂର୍ବାହ୍ନରେ ଗ୍ରାହକ ମାନଙ୍କୁ ଗ୍ୟାସ୍‌ ବଣ୍ଟନ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍‌ ଗୋଦାମ୍‌ରେ ଥିବା ଏକ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। କର୍ମଚାରୀମାନେ ଗ୍ୟାସ୍‌ ବନ୍ଦ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଫଳରେ ସେଠାରେ ଉପସ୍ଥିତ କେତେକ ଗ୍ରାହକ ଓ କର୍ମଚାରୀ ଭୟଭୀତ ହୋଇଯାଥିଲେ। ଖବର ପାଇ ଅଗ୍ନିଶମ ବିଭାଗୀୟ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସିଂ ଏବଂ ଟିମ୍‌ ପହଞ୍ଚି ଲିକ୍‌ ହେଉଥିବା ସିଲିଣ୍ଡରକୁ ନେଇ ଏକ ପୋଖରୀ ନିକଟ ଖୋଲା ସ୍ଥାନରେ ରଖିଥିଲେ। ସମ୍ପୂର୍ଣ୍ଣ ଗ୍ୟାସ୍‌ ବାହାରକୁ ଛାଡ଼ିଥିଲେ। ସିଲିଣ୍ଡରର ଅବଧି ୨୦୨୪ ମସିହା ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ଏପରି ଲିକ୍‌ ହେଉଛି। ତେଣୁ ନିୟମିତ ବ୍ୟବଧାନରେ ନୋଜଲ୍‌ ଏବଂ ଆବଶ୍ୟକ ଜିନିଷ ବଦଳାଇବା ପାଇଁ ଗ୍ରାହକମାନେ ଦାବି କରିଛନ୍ତି।