ରପେୟା ସରକାରୀ ହାଇସ୍କୁଲରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା ଜାରି

ଖଇରା, ୨୨।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରପେୟା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ, କିରାଣି ଏବଂ ପିଅନ ପଦବୀ ପୂରଣ ଲାଗି ଛାତ୍ରୀଛାତ୍ର, ଅଭିଭାବକ ତଥା ସ୍ଥାନୀୟ ଉକତ୍ଳ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ସ୍କୁଲ ସମ୍ମୁଖରେ ସୋମବାରଠାରୁ ଧାରଣାରେ ବସିଛନ୍ତି। ମଙ୍ଗଳବାର ମଧ୍ୟ ଧାରଣା ଜାରି ରହିଛି। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରଖିବାକୁ ବିଷ୍ଣୁ ଜେନା, କବିତା ଦାସ, ବାସନ୍ତୀ ଲେଙ୍କା, ଅଗଣି ଜେନା କମଳାମଣି ଜେନା, ମୂରଲୀଧର ଘଡେଇ, ସୁବାସ ଜେନା, ହରିଶ୍‌ ସିଂ ଓ ଅକ୍ଷୟ ସାମଲ ପ୍ରମୁଖ ଚେତାବନୀ ଦେଇଛନ୍ତି ।

ଉକ୍ତ ବିଦ୍ୟାଳୟରେ ଦୀର୍ଘଦିନ ଧରି ହାଇସ୍କୁଲର ପ୍ରଧାନ ଶିକ୍ଷକ, କିରାଣି ଏବଂ ପିଅନ ପଦବୀ ଖାଲି ପଡିଛି। ଏହି ବିଦ୍ୟାଳୟରେ ୮ମରୁ ୧୦ମ ପର୍ଯ୍ୟନ୍ତ ୧୫୦ଜଣ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ପାଇଁ ମୋଟ ୫ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ଏଥିମଧ୍ୟରୁ ଜଣେ ଖେଳ ଶିକ୍ଷୟିତ୍ରୀ ଥିବା ବେଳେ ଅନ୍ୟ ଜଣେ ହିନ୍ଦୀ ଶିକ୍ଷୟିତ୍ରୀ ସପ୍ତାହର ତିନିଦିନ କ୍ଲାସ କରନ୍ତି। ଜଣେ ଶିକ୍ଷକ ବିଦ୍ୟାଳୟର ସମସ୍ତ କାଗଜପତ୍ର କାମ କରୁଥିବା ବେଳେ ଅନ୍ୟ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାଳୟର କେମିତି ପାଠପଢା ହେବ ସେନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀ ଏ ପ୍ରସଙ୍ଗରେ ଜିଲାପାଳ, ଜିଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟ ଅବଗତ କରାଇଆସୁଛନ୍ତି। ହେଲେ ଚିଠି ମାଧ୍ୟମରେ ପ୍ରତିଥର ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ କହିଛନ୍ତି। ମାତ୍ର ଯଦି ଏହି ସମସ୍ୟା ଧାରଣା ମାଧ୍ୟମରେ ସମାଧାନ କରା ନ ଯାଏ ତା’ ହେଲେ ସମସ୍ତ ଅଭିଭାବକ ଓ ଉକତ୍ଳ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ରଙ୍କୁ ପଚାରିବାରେ ଶିକ୍ଷକ ନିଯୁକ୍ତି ନେଇ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି।