ରବିଚାଷ ଲାଗି କୃଷି ନିର୍ଦ୍ଧାରଣ ବୈଠକ: ସରକାରୀ ଯୋଜନାର ସଫଳ ରୂପାୟନକୁ ଗୁରୁତ୍ୱ

ବରଗଡ଼ ଅଫିସ, ୪।୧୨: ବରଗଡ଼ ଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ରବିଚାଷ ପାଇଁ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କ ସମେତ କୃଷି, ସମବାୟ, ଜଳସେଚନ ଆଦି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ ଗାନ୍ଧୀ ବିଗତ ଫସଲ ଉପରେ କୃଷି ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସହିତ ଆସନ୍ତା ରବିଚାଷ ପାଇଁ ନିଆଯାଉଥିବା ପଦକ୍ଷେପ ତଥା ଏଥିପାଇଁ ରହିଥିବା ସରକାରୀ ଯୋଜନା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେହିପରି ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେଭଳି ଚାଷୀଙ୍କ ପାଖରେ ପହଞ୍ଚି ପାରିବ ଏବଂ ଚାଷୀମାନେ ସେଥିରେ ଉପକୃତ ହୋଇପାରିବେ, ସେ ଦିଗରେ ପ୍ରତ୍ୟେକ ଅଧିକାରୀ ଦାୟିତ୍ୱ ସମ୍ପନ୍ନ ଭାବରେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲାପାଳ ପ୍ରଧାନ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଉପସ୍ଥିତ ଅଧିକାରୀ, କର୍ମଚାରୀମାନେ ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ।