ରବିଧାନ କିଣା ଆରମ୍ଭ ହେଲା: ୩ ଲକ୍ଷ ୪୮ ହଜାର ୮୬୮ କୁଇଣ୍ଟାଲ କିଣା ହେବ

ନୂଆପଡା ଅଫିସ,୨୦ା୫: ବହୁ ପ୍ରତିକ୍ଷୀତ ୨୦୧୯ ରବି ଧାନ କିଣା ସୋମବାରଠାରୁ ଆରମ୍ଭ ହୋଇଛି । ଏହାକୁ ଜିଲାପାଳ ଡା.ପୋମା ଟୁଡୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏଥର ଜିଲାରେ ମୋଟ ୩୫୯୭ ଜଣ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ସେମାନଙ୍କଠାରୁ ୩ ଲକ୍ଷ ୪୮ହଜାର ୮୬୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ସ୍ଥିର ହୋଇଛି । ପ୍ରଥମ ଦିନରେ ୩ ଜଣ ଚାଷୀଙ୍କଠାରୁ ୨୮୦ ବ୍ୟାଗରେ ୧୩୪.୯୬ କୁଇଣ୍ଟାଲ ଧାନ କିଣାଯାଇଥିଲା। ଗତ ଖରିଫ ଋତୁରେ ଧାନକିଣା ଟାର୍ଗେଟ ହାସଲ କରିଥିବା ୮ଟି ମିଲର୍ସ ଏଥର ଧାନକିଣା ସକାଶେ ଯୋଗ୍ୟ ବିବେଚିତ ହୋଇଛନ୍ତି । ସୋମବାର ପୂର୍ବାହ୍ନ ୯ଟାରେ ସ୍ଥାନୀୟ ଆରସିଏମଏସ ମଣ୍ଡି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଯୋଗାଣ ଅଧିକାରୀ ଅଶୋକ କୁମାର ଦାସ ସଭାପତିତ୍ୱ କରିଥିବାବେଳେ ଜିଲାପାଳ ମୁଖ୍ୟଅତିଥି, ଜିଲା କୃଷି ଉପନିର୍ଦ୍ଦେଶକ ଜାହିଦ ମହମ୍ମଦ, ଏଆରସିଏସ ଲିଙ୍ଗରାଜ ନାଏକ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପ୍ରଫୁୁଲ୍ଲ କୁମାର ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଚାଷୀମାନେ ଠିକ ସମୟରେ ଧାନ ଆଣି ମଣ୍ଡିରୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଚାଷୀମାନଙ୍କ ସୁବିଧା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ କରିଥିଲେ । ଏହି ଅବସରରେ ସ୍ଥାନୀୟ ପ୍ୟାକ୍ସ ସଭାପତି ଦିଲୀପ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ପ୍ୟାକ୍ସର କର୍ମକର୍ତ୍ତା ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଚାଷୀମାନେ ଯୋଗଦେଇଥିଲେ। ତେବେ ଆସନ୍ତା ୨୭ ତାରିଖଠାରୁ ସମସ୍ତ ମଣ୍ଡିରେ ରିତିମତ ଧାନକିଣା ଚାଲିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ମହାନନ୍ଦ ପରିଚାଳନା କରିଥିଲେ।