ରବିବାର ଛୁଟି ବି ନେଉଛନ୍ତି ଜମ୍ମୁ-କଶ୍ମୀର ଭିକାରି

ଶ୍ରୀନଗର,୨।୩: ଜମ୍ମୁ-କଶ୍ମୀରରେ ଏବେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେମାନେ ସପ୍ତାହରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଭିକ୍ଷା ମାଗୁଥିବାବେଳେ ରବିବାର ସରକାରୀ ଚାକିରି ଭଳି ଛୁଟି ନେଉଛନ୍ତି। ରବିବାର ନିଜ ନିଜର ପରିବାର କାର୍ଯ୍ୟରେ ସେମାନେ ଲାଗି ରହୁଛନ୍ତି। ଭିକ୍ଷା ମାଗୁଥିବା ଦିନଗୁଡ଼ିକରେ ସେମାନେ ପ୍ରତିଦିନ ନିଜର ପୋଷାକରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଦିନେ ମୁସଲମାନ୍‌ ପୋଷାକ ପିନ୍ଧୁଥିବାବେଳେ ଅନ୍ୟ ଦିନ ଧୋତି ପଞ୍ଜାବି ତ ପୁଣି ମୁଣ୍ଡରେ ଶିଖ୍‌ ଭଳି ପଗଡ଼ି ପିନ୍ଧୁଛନ୍ତି। ସେମାନେ ଲୋକଙ୍କ ପିଛା କରି ହାତ ଗୋଡ଼ ଧରି ଭିକ୍ଷା ଦେବାକୁ ନେହୁରା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ତେବେ ସେମାନଙ୍କ ସଂଖ୍ୟା ଧୀରେଧୀରେ ବଢୁଥିବାରୁ ପ୍ରଶାସନର ଚିନ୍ତା ବୃଦ୍ଧି ପାଉଥିବା କୁହାଯାଉଛି। ୨୦୧୯ରେ ଜମ୍ମୁ-କଶ୍ମୀର ହାଇକୋର୍ଟ ପକ୍ଷରୁ ଭିକ୍ଷାବୃତ୍ତି ଉପରେ ରୋକ ଲଗାଇବାକୁ ପ୍ରଚଳିତ ହୋଇଥିବା ୧୯୬୪ ଅଧିନିୟମ ଏବଂ ୧୯୬୦ ନିୟମାବଳୀକୁ ଅଣ ସାମ୍ବିଧାନିକ କୁହାଯାଇଥିଲା। ନିଜ ପାଖରେ ଆବଶ୍ୟକ ସାମଗ୍ରୀ ନ ଥିବା ଲୋକେ ଏଭଳି କରିବା ଅପରାଧ ନୁହେଁ ବୋଲି କୋର୍ଟ କହିଥିଲେ। ଛୋଟ ଛୋଟ ପିଲା ଭିକ୍ଷାବୃତ୍ତି କରୁଥିଲେ ଏନେଇ ଚାଇଲ୍ଡ ଲାଇନ୍‌ ନମ୍ବର ୧୦୯୮ରେ ଫୋନ୍‌ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share