ନୂଆଦିଲ୍ଲୀ, ୧୩ା୬: ମହାମାରୀ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ରବିବାର ପୂର୍ବାହ୍ନ ୧୧ଟାରେ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉପରାଜ୍ୟପାଳ ଅନିଲ ବୈଜଲ ପ୍ରମୁଖ ଶାହାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମୀକ୍ଷା ବୈଠକରେ ଯୋଗଦେବେ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତି ରହିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି। ପ୍ରକାଶଥାଉ କି, ଦିଲ୍ଲୀରେ ଏବେ ୩୭ ହଜାର କରୋନା ଭୂତାଣୁ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ୧,୨୧୪ରେ ପହଞ୍ଚିଛି। ଦେଶର ତୃତୀୟ ସର୍ବାଧିକ ସଂକ୍ରମିତ ଏହିଠାରେ ଅଛନ୍ତି।