ଆନନ୍ଦପୁର, ୬।୮(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ଦେଓଗାଁ ପାଲଟିଛି ବିରଳ ଉଦାହରଣ। ଦେଓଗାଁ ସର୍କଲର ୨୭ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଖୋଲା ରହୁଥିବା ବେଳେ ସୋମବାର ଏହା ବନ୍ଦ ରୁହେ। ତେବେ ଏହା କୌଣସି ଜୋରଜବରଦସ୍ତ ଭାବେ ନୁହେଁ ବରଂ ବିଭାଗୀୟ ନିୟମ ଅନୁଯାୟୀ କାର୍ଯ୍ୟକାରୀ ହେଉଛି। ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକ ରବିବାର ସାପ୍ତାହିକ ଛୁଟି ରହୁଥିବାବେଳେ ଏଠାରେ କିନ୍ତୁ ସୋମବାରକୁ ସାପ୍ତାହିକ ଛୁଟି ଭାବେ କାର୍ଯ୍ୟକାରୀ କରାଯାଉଛି। ଏହି ବ୍ୟତିକ୍ରମର ଦୁଇଟି କାରଣ ରହିଛି। ଗୋଟିଏ ହେଉଛି କୁଶଳେଶ୍ୱର ମହାଦେବଙ୍କ ଆଧିପତ୍ୟ, ଅନ୍ୟଟି ସାପ୍ତାହିକ ହାଟ। ୧୯୯୧ ମସିହାରୁ ଏହି ପରମ୍ପରା ଚାଲିଆସୁଥିଲେ ବି ଏହା ଆଉ ପରିବର୍ତ୍ତନ ହୋଇନି।
ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ଚିଠି ନଂ. ୩୮୮୫୩/୨୧.୮.୧୯୯୧ ଅନୁଯାୟୀ, ସେତେବେଳେ ଦେଓଗାଁ ସର୍କଲରେ ରହିଥିବା ୪୨ଟି ପ୍ରାଥମିକ ବିଦ୍ୟାଳୟରେ ସୋମବାର ସାପ୍ତାହିକ ଛୁଟି ଭାବେ କାର୍ଯ୍ୟକାରୀ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ର ବି ଏହି ପରମ୍ପରାରେ ନିଜକୁ ସାମିଲ କରିସାରିଲେଣି। ସେତେବେଳର ଦେଓଗାଁ ସର୍କଲ କାଳକ୍ରମେ ଭାଗ ହୋଇ ଦେଓଗାଁ, ଭଣ୍ଡାରିଡିହା, କେଶଦୁରାପାଳ ତିନି ଗୋଟି ସର୍କଲରେ ପରିଣତ ହୋଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଓଗାଁ ଓ କେଶଦୁରାପାଳ ସର୍କଲରେ ଥିବା ୨୭ଟି ପ୍ରାଥମିକ ବିଦ୍ୟାଳୟରେ ଏହି ନିୟମ ଚାଲୁ ରହିଛି।