ରବି ଚାଷରେ ଆଗୁଆ ଯୋଡ଼ା

ଚମ୍ପୁଆ/ଯୋଡ଼ା, ୮।୨(ଡି.ଏନ.ଏ)-ଖଣି ଖାଦାନ ଭରା ଚମ୍ପୁଆ ଉପଖଣ୍ଡ ଏବେ ଚାଷ ଆଡ଼କୁ ମୁହଁ।ଉଛି। ଖଣି ଖାଦାନ ବନ୍ଦ ଫଳରେ ଲୋକେ ବେରୋଜଗାର ହଟାଇବା ସହିତ କୃଷି କାର୍ଯ୍ୟକୁ ଆଦରି ନେଉଛନ୍ତି। ଯାହାର ଉଦାହରଣ ପାଲଟିଛି ଚମ୍ପୁଆ କୃଷି ଜିଲାରେ ୨୦୧୯-୨୦ ରବି ଋତୁରେ ଟାର୍ଗେଟଠାରୁ ଅଧିକ ଚାଷ କରିଛି ଯୋଡ଼ା ବ୍ଲକ। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୧୯-୨୦ ରବି ଋତୁରେ ଚମ୍ପୁଆ ବ୍ଲକରେ ୭୭୫୧ ହେକ୍ଟର ଜମିରେ ଚାଷ ପାଇଁ ଟାର୍ଗେଟ ଦିଆଯାଇଥିବାବେଳେ ୭୭୩୫ ହେକ୍ଟର ଜମିରେ ଚାଷ କରାଯାଇଥିଲା। ସେହିପରି ଝୁମ୍ପୁରା ବ୍ଲକର ୬୩୮୫ ହେକ୍ଟର ଟାର୍ଗେଟ ରହିଥିବାବେଳେ ୫୫୦୬ ହେକ୍ଟର ଜମିରେ ଚାଷ କରାଯାଇଥିଲା। ମାତ୍ର ଯୋଡ଼ାରେ ୩୯୧୦ ହେକ୍ଟର ଜମି ଟାର୍ଗେଟ ଦିଆଯାଇଥିଲା। ୪୬୫୦ ହେକ୍ଟର ଜମିରେ ଚଳିତ ରବିଋତୁରେ ଚାଷ କରାଯାଇଛି।
୨୦୧୧ ଜନଗଣନା ଅନୁଯାୟୀ ଚମ୍ପୁଆରେ ୨୦୩୪୪, ଯୋଡ଼ାରେ ୧୦୪୯୫ ଓ ଝୁମ୍ପୁରାରେ ୧୭୨୮୩ ଜଣ ଚାଷୀ ରହିଛନ୍ତି। ଏହାଛଡ଼ା ଚମ୍ପୁଆରେ ୧୯୧୮୧ ହେକ୍ଟର, ଝୁମ୍ପୁରାରେ ୧୩୬୯୧ ଓ ଯୋଡ଼ାରେ ୭୮୮୮ ହେକ୍ଟର ଚାଷଜମି ରହିଛି। ଚଳିତବର୍ଷ ବର୍ଷା ଅଭାବରୁ ଠିକ୍‌ ଭାବେ ଧାନ ଚାଷ ହୋଇପାରି ନ ଥିବାବେଳେ ରବି ଋତୁରେ ଚମ୍ପୁଆ ବ୍ଲକକୁ ୧୦୦ କୁଇଣ୍ଟାଲ ସୋରିଷ, ୨୫୦ କୁଇଣ୍ଟାଲ ଚଣା ଓ ୧୨୫ କୁଇଣ୍ଟାଲ ମଟର ଦିଆଯାଇଥିଲା। ସେହିପରି ଯୋଡ଼ା ବ୍ଲକକୁ ୧୦୦ କୁଇଣ୍ଟାଲ ସୋରିଷ, ୩୩୦ କୁଇଣ୍ଟାଲ ଚଣା ଓ ୭୫ କୁଇଣ୍ଟାଲ ମଟର ଦିଆଯାଇଥିଲା। ଝୁମ୍ପୁରାକୁ ୪୨ କୁଇଣ୍ଟାଲ ସୋରିଷ, ୧୦୫ କୁଇଣ୍ଟାଲ ଚଣା ଓ ୫୦ କୁଇଣ୍ଟାଲ ମଟର ପ୍ରଦାନ କରାଯାଇଥିବା ଜିଲା କୃଷି ଅଧିକାରୀ ଗଜେନ୍ଦ୍ର ନାଥ ଗୋଚ୍ଛାୟତ ସୂଚନା ଦେଇଛନ୍ତି। ବିଭାଗୀୟ ମତ ଅନୁଯାୟୀ ଚଣା, ସୋରିଷ ଓ ମଟର ଚାଷ ପାଇଁ ମଟାଳ ମାଟିର ଆବଶ୍ୟକତା ରହିଥିବାବେଳେ ଚମ୍ପୁଆ ଓ ଯୋଡ଼ା ବ୍ଲକରେ ଏହି ଚାଷର ସଫଳତା ମିଳିଛି।