Categories: ଖେଳ

ରବି ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇଛି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ସୋମବାର ଏହା ପ୍ରକାଶ କରିଛି। ଗତ ଫେବୃୟାରୀରେ ବିଶାଖାପାଟଣାଠାରେ ଜାତୀୟ ସିନିୟର ୭୧ତମ ପୁରୁଷ ଏବଂ ୩୪ତମ ମହିଳା ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ବେଳେ ତାଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା। ଡୋପ୍‌ ଟେଷ୍ଟ ବେଳେ ସେଥିରେ ଏକ ନିଷିଦ୍ଧ ଦ୍ରବ୍ୟର ମାତ୍ରା ଠାବ କରାଯାଇଛି। ରବି ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୬୯କେଜି ଶ୍ରେଣୀରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ନାଡା ସୂଚନା ଅନୁସାରେ ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଅନ୍ୟ ୫ ଭାରୋତ୍ତୋଳକ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ସେମାନେ ହେଲେ ବୀରେନ୍ଦର ସିଂ (୯୬କେଜି), ଦୀପିକା(୪୯କେଜି), ବିଶାଳ ସୋଲାଙ୍କି (୧୦୯ କେଜି), ସୀମା (୮୧ କେଜି) ଏବଂ ପୂର୍ଣ୍ଣିମା ପାଣ୍ଡେ (୮୭କେଜି)। ସେହିପରି ଚଳିତ ବର୍ଷ ପ୍ରାରମ୍ଭରେ ପୁଣେଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ପଦକ ଜିତିଥିବା ଆଉ ଦୁଇ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ସେମାନେ ହେଲେ ରେସ୍‌ଲର ରୋହିତ ଆହିରେ (ଗ୍ରୀକୋ ରୋମାନ ୭୨କେଜି) ଏବଂ ସାହିଲ ପାଓ୍ବାର (୫୦ ମିଟର ଫ୍ରିଷ୍ଟାଇଲ)। ଏହି ଦୁଇ ଜଣଙ୍କୁ ମଧ୍ୟ ସାମୟିକ ସସ୍‌ପେଣ୍ଡ କରାଯାଇଛି। ଅନ୍ୟପକ୍ଷରେ ନାଡାର ଆଣ୍ଟି ଡୋପିଂ ପ୍ୟାନେଲ କ୍ୱାର୍ଟରମାଇଲର ପ୍ରିୟଙ୍କା ପନଓ୍ବାରଙ୍କ ବିରୋଧରେ ଡିସିପ୍ଲିନାରି ପ୍ୟାନେଲର ୮ ବର୍ଷ ସସ୍‌ପେଣ୍ଡ ଆଦେଶକୁ କାଏମ ରଖିଛି। ପ୍ରିୟଙ୍କା ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ପ୍ରିୟଙ୍କା ୨୦୧୬ରେ ଦ୍ୱିତୀୟ ଥର ପାଇଁ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ। ପ୍ରଥମ ଥର ସେ ୨୦୧୧ରେ ଡୋପ୍‌ ଅପରାଧ କରିଥିଲେ। ଆଣ୍ଟି ଡୋପିଂ ଅପିଲ ପ୍ୟାନେଲ ଆହୁରି ମଧ୍ୟ ଡିସିପ୍ଲିନାରି ପ୍ୟାନେଲ ହକି ଖେଳାଳି ଆକାଶ ଚିକ୍‌ଟେଙ୍କ ବିରୋଧରେ କରିଥିବା ୨ ବର୍ଷ ସସ୍‌ପେଣ୍ଡ ଆଦେଶ ୧୩ ମାସକୁ ହ୍ରାସ କରିଛି। ପ୍ରଥମ ଭାରତୀୟ ଟେନିସ ଖେଳାଳି ଭାବେ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ୧୬ ବର୍ଷୀୟ ଆର୍ଯ୍ୟନ ଭାଟିଆଙ୍କୁ ନାଡା ଛାଡ଼ କରିଦେଇଛି।
ସ୍ବର୍ଣ୍ଣ ହରାଇପାରନ୍ତି ଜ୍ୟୋତି ସିଂ
ଚଳିତ ବର୍ଷ ପ୍ରାରମ୍ଭରେ ନୂଆଦିଲ୍ଲୀରେ ଏଲିଟ୍‌ ମହିଳା ହାଫ୍‌ ମାରାଥନ ଜିତିଥିବା ଜ୍ୟୋତି ସିଂ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ନାଡା ସୂଚନା ଦେଇଛି। ଫେବୃୟାରୀ ୨୪ରେ ହୋଇଥିବା ଏହି ରେସ୍‌ରେ ଜ୍ୟୋତିଙ୍କ ଟାଇମିଂ ଥିଲା ୧ ଘଣ୍ଟା ୨୨ ମିନିଟ ୨୦ ସେକେଣ୍ଡ। ଖବରରେ ଯଦି ସତ୍ୟତା ଥାଏ ତେବେ ତାଙ୍କଠାରୁ ସ୍ବର୍ଣ୍ଣ ପଦକ ପ୍ରତ୍ୟାହାର କରି ନିଆଯିବ। ରୌପ୍ୟ ବିଜୟିନୀଙ୍କୁ ସ୍ବର୍ଣ୍ଣ ପଦକ ବିଜେତା ବୋଲି ଘୋଷଣା କରାଯିବ ବୋଲି ରେସ୍‌ ନିର୍ଦ୍ଦେଶକ ନାଗରାଜ ଆଡିଗା ପ୍ରକାଶ କରିଛନ୍ତି।

Share