ରବି ଧାନ ସଂଗ୍ରହଣ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ: ୧୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର,୨୫।୬(ବ୍ୟୁରୋ)ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସୋମବାର ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୮-୧୯ ରବି ସଂଗ୍ରହଣ ଋତୁରେ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସୂତ୍ର ବାହାର କରିବା ଲକ୍ଷ୍ୟ ନେଇ ଏହି ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଚଳିତ ମାସ ୩୦ ତାରିଖ ଧାନ ସଂଗ୍ରହଣର ଅନ୍ତିମ ଦିବସ ଥିବାରୁ ସଂଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ଗୁଡ଼ିକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି।ସମୀକ୍ଷା ବୈଠକରୁ ଜଣାପଡ଼ିଛି, ଚଳିତ ରବି ଋତୁ ପାଇଁ ଧାନ ସଂଗ୍ରହଣର ଧାର୍ଯ୍ୟ ଲକ୍ଷ୍ୟ ୧୩,୪୨,୮୫୪.୪୭୮ ମେଟ୍ରିକ୍‌ ଟନ୍‌ ଥିବାବେଳେ ଜୁନ୍‌ ୨୨ ସୁଦ୍ଧା ୧୨,୪୨,୭୬୮.୯୫ ମେଟ୍ରିକ୍‌ ଟନ୍‌ ଧାନ ପ୍ୟାକ୍ସଗୁଡ଼ିକ ଦ୍ୱାରା କ୍ରୟ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୯୩ ପ୍ରତିଶତ। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ରବି ଧାନ ସଂଗ୍ରହଣ ଋତୁରେ ୧୧,୬୪,୮୨୪ ମେଟ୍ରିକ୍‌ ଟନ୍‌ ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ଏହି ସମୟ ସୁଦ୍ଧା ୧୦,୧୬,୪୭୬.୫୧୦ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଥିଲା। ଏହା ଧାର୍ଯ୍ୟ ଲକ୍ଷ୍ୟର ୮୭ ପ୍ରତିଶତ ଥିଲା। ଏହି ବୈଠକରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ, ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌, ବିଧାୟକ ଦେବେଶ ଆଚାର୍ଯ୍ୟ, ଭୂପିନ୍ଦର ସିଂ, ପ୍ରଫୁଲ୍ଲ ସାମଲଙ୍କ ସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ।

Share