ନୂଆଦିଲ୍ଲୀ, ୨୭ା୪(ପି.ଟି.)- ରବି ମିତ୍ତଲ ରବିବାର କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗର ନୂଆ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରାଧେଶ୍ୟାମ ଜୁଲାନିୟାଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମିତ୍ତଲ ହେଉଛନ୍ତି ବିହାର କ୍ୟାଡରର ୧୯୮୬ ବ୍ୟାଚ୍ର ଜଣେ ଆଇଏଏସ୍ ଅଫିସର। ଏହି ନିଯୁକ୍ତି ପୂର୍ବରୁ ସେ ସୂଚନା ଓ ପ୍ରସାରଣ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସୂଚନାଯୋଗ୍ୟ, ଜୁଲାନିୟା ୨୦୧୯ ଫେବୃୟାରୀରେ କ୍ରୀଡ଼ା ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ। ଗତବର୍ଷ ଅଗଷ୍ଟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଅଧୀନକୁ ଆଣିବା ତାଙ୍କର ଏକ ବଡ଼ ସଫଳତା। କ୍ରୀଡ଼ା ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିଭିନ୍ନ ପ୍ରସଙ୍ଗ ନେଇ ଭାରତୀୟ ଅଲିମ୍ପିକ ଆସୋସିଏଶନ ଏବଂ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ସହ ତାଙ୍କର ବାରମ୍ବାର ମୁହାଁମୁହିଁ ହେଉଥିଲା।