Categories: ଖେଳ

ରବି ଶାସ୍ତ୍ରୀ ଏନ୍‌ସିଏ ସହିତ ସମ୍ପୃକ୍ତ ରହିବେ

କୋଲକାତା, ୧ା୧୧ (ପି.ଟି.)-ରବି ଶାସ୍ତ୍ରୀଙ୍କୁ ସିନିୟର ଦଳର କୋଚ ଦାୟିତ୍ୱ ତୁଲାଇବା ବ୍ୟତୀତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ) ସହିତ ସମ୍ପୃକ୍ତ ହେବାକୁ ପଡ଼ିବ ବୋଲି ଜାତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଶାସ୍ତ୍ରୀଙ୍କ ଦ୍ୱୈତ ଭୂମିକା ଦ୍ୱାରା ସିନିୟର ଦଳ ଏବଂ ଏନସିଏ ମଧ୍ୟରେ ସମନ୍ବୟ ରହିବ। ବେତନ ବାବଦରେ ବାର୍ଷିକ ୧୦ କୋଟି ଟଙ୍କା ପାଉଥିବା ଶାସ୍ତ୍ରୀଙ୍କ ସହିତ ହୋଇଥିବା ନୂଆ ଚୁକ୍ତି ଅନୁସାରେ ସେ ଟି୨୦ ବିଶ୍ୱକପ୍‌ ୨୦୨୧ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଗାଙ୍ଗୁଲି କହିଛନ୍ତି ଏନ୍‌ସିଏକୁ ଏକ ଉନ୍ନତ ‘ସେଣ୍ଟର ଅଫ୍‌ ଏକ୍ସଲେନ୍ସ’ରେ ପରିଣତ କରାଯିବ। ଏଭଳି ଏକ ବ୍ୟବସ୍ଥା କରାଯିବ, ଯଦ୍ଦ୍ବାରା ଏନ୍‌ସିଏରେ ଶାସ୍ତ୍ରୀଙ୍କ ଅଧିକ ସମ୍ପୃକ୍ତି ରହିବ। ଜାତୀୟ କ୍ରିକେଟ ଏକାଡେମୀଠାରେ ରାହୁଲ ଡ୍ରାଭିଡଙ୍କ ବ୍ୟତୀତ ପାରସ ମାହାମ୍ଭ୍ରେ ରହିଛନ୍ତି। ଭରତ ଅରୁଣ ମଧ୍ୟ ସେଠାକୁ ଯିବେ। ସୂଚନାଯୋଗ୍ୟ, ଏନସିଏକୁ ଏକଦା ଭାରତୀୟ କ୍ରିକେଟର ଏକ ଫିନିଶିଂ ସ୍କୁଲ ରୂପେ ବିବେଚନା କରାଯାଉଥିଲା। ମାତ୍ର ଗତ ଦଶନ୍ଧି ହେଲା ଏହା ଏକ ରିହାବିଲିଟେଶନ ସେଣ୍ଟର ଭଳି କାର୍ଯ୍ୟ କରୁଛି। ନିକଟରେ ଗାଙ୍ଗୁଲି ରାହୁଲ ଡ୍ରାଭିଡ ଏବଂ ସିଓଓ ତୁଫାନ ଘୋଷଙ୍କ ସମେତ ଏନ୍‌ସିଏର ଅନ୍ୟ ଷ୍ଟାଫ୍‌ଙ୍କ ସହିତ ଏକ ବୈଠକ କରିଥିଲେ।

Share