ରବୀନାଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ରେ ଧୂମ ମଚାଇବେ ଡାଏନା

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଖାନଦାନୀ ଶଫାଖାନା’ରେ ଦେଖିବାକୁ ମିଳିବ। ଏହା ଏକ କମେଡି ଫିଲ୍ମ। କିଛି ଦିନ ତଳେ ଫିଲ୍ମର ଟ୍ରେଲର ସମ୍ମୁଖକୁ ଆସିଥିଲା। ଏହି ଫିଲ୍ମରୁ ବଲିଉଡ୍‌ ର଼୍ୟାପର ବାଦ୍‌ଶାହ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ସେ ଜଣେ ପଞ୍ଜାବୀ ସିଙ୍ଗର ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ଅଭିନୟ ସାଙ୍ଗକୁ ବାଦ୍‌ଶାହ ଫିଲ୍ମରେ ମ୍ୟୁଜିକ୍‌ ମଧ୍ୟ ଦେବେ। ଖାସ୍‌ କଥା ହେଲା ୧୯୯୬ରେ ମୁକ୍ତିଲାଭ କରିଥିବା ସୁନୀଲ ସେଟ୍ଟୀ ଏବଂ ରବୀନା ଟଣ୍ଡନଙ୍କ ଫିଲ୍ମ ‘ରକ୍ଷକ’ର ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ରେ ବାଦ୍‌ଶାହ ଏବଂ ଡାଏନା ପେଣ୍ଟିଙ୍କୁ ଦେଖିବାକୁ ମିଳିବ। ଏହି ଗୀତରେ ଧୂମ୍‌ ମଚାଇବା ପାଇଁ ଡାଏନାଙ୍କୁ ଚୟନ କରାଯାଇଛି। ଜୁନ୍‌ ୨୭ ଓ ୨୮ ୨ ଦିନ ଧରି ମୁମ୍ବାଇ ଷ୍ଟୁଡିଓରେ ଏହି ଗୀତର ଶୁଟିଂ ହେବ।

Share