ରମାଦେବୀରୁ ପ୍ରଥମ ଡକ୍ଟରେଟ୍‌ ପାଇଲେ ରେଣୁ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ବିଶିଷ୍ଟ ବୈଜ୍ଞାନିକ ତଥା କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ବରୂପଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରଥମ ସମ୍ମାନ ସୂଚକ ଡକ୍ଟରେଟ୍‌ (ଡି.ଏସ୍‌ସି) ପ୍ରଦାନ କରିଛି। ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବରୂପଙ୍କୁ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ନିଜ ବକ୍ତବ୍ୟରେ କହିଥିଲେ, ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମାନବ ସଭ୍ୟତାର ଅଗ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲୋକମାନଙ୍କର ବହୁବିଧ ଅଭୀପ୍‌ସା, ଆକାଂକ୍ଷା ଓ ଅଭିଳାଷ ପୂରଣ କରିବାରେ ଏହା ସଫଳ ହୋଇଛି। ହେଲେ ବିଜ୍ଞାନ ସହ ନୀତିଶାସ୍ତ୍ରକୁ ଏକାଠି କରି ମାନବ ସଭ୍ୟତାର ଭବିଷ୍ୟତ ମାର୍ଗକୁ ନିର୍ଦ୍ଧାରଣ କରାଯିବା ଦରକାର। ବିଜ୍ଞାନ ଓ ବିକାଶ ଆଜି ମଣିଷର ଆବଶ୍ୟକତା ପୂରଣ କରିବାକୁ ଉଦ୍ଦିଷ୍ଟ। କିନ୍ତୁ ଆଧ୍ୟାତ୍ମିକ ଓ ଭାବପ୍ରବଣ ଆବଶ୍ୟକତା ଅପୂରଣୀୟ ରହିଲେ ମାନବ ଜୀବନ ସାର୍ଥକ ହେବା ଅସମ୍ଭବ ବୋଲି ରାଜ୍ୟପାଳ କହିଥିଲେ। ସେ ଆହୁରି କହିଥିଲେ, ପୃଥିବୀ ବର୍ତ୍ତମାନ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ପୃଥିବୀକୁ ଧ୍ୱଂସମୁଖରୁ ବଞ୍ଚାଇବାକୁ ବିଜ୍ଞାନର ଗତି ଓ ପ୍ରକୃତିକୁ ଆହୁରି ମୂଲ୍ୟବୋଧ ଆଧାରିତ କରିବା ଦରକାର। ଭୌଗୋଳିକ ଭାବେ ଓଡ଼ିଶା ରାଜ୍ୟର ପରମ୍ପରା, ଐତିହ୍ୟ ଓ ଚେତନା ବିଶ୍ୱବ୍ୟାପୀ। ଜଗନ୍ନାଥ ଧର୍ମ, ପରମ୍ପରା ଓ ସଂସ୍କୃତି ବିଶ୍ୱକୁ ସଙ୍କଟରୁ ମୁକ୍ତି ଦେବାରେ ଦିଗ୍‌ଦର୍ଶନ ଦେବାକୁ ସକ୍ଷମ। ଓଡ଼ିଶାରେ ଯେଉଁମାନେ ଜନ୍ମ ନେଇଛନ୍ତି ସେମାନେ ଭାଗ୍ୟବାନ ବୋଲି ରାଜ୍ୟପାଳ ଏହି ଅବସରରେ କହିଥିଲେ।