ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ମିରାଣ୍ଡ ହାଉସ୍‌ ମହାବିଦ୍ୟାଳୟ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀର ମିରାଣ୍ଡ ହାଉସ୍‌ ମହାବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରଥମ ବିଧାୟିକା, ପ୍ରଥମ ବାଚସ୍ପତି, ଜେଲ ଯାଇଥିବା ପ୍ରଥମ ମହିଳା ସ୍ବାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ନାମରେ ଏକ ଗବେଷଣା କେନ୍ଦ୍ର ଖୋଲାଯାଇଛି। ଲିଙ୍ଗଗତ ନ୍ୟାୟ ସମ୍ପର୍କିତ ଗବେଷଣା କେନ୍ଦ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ସରଳା ଦେବୀଙ୍କ କୃତିତ୍ୱ ସମ୍ପର୍କରେ ଓଡ଼ିଶାର ଜନସାଧାରଣଙ୍କୁ ପରିଚିତ କରାଇବା ସହ ଲିଙ୍ଗଗତ ନ୍ୟାୟ, ଅସମାନତା ଓ ଏ ସମ୍ପର୍କିତ ଗବେଷଣା କରିବା ଏହି ଚୁକ୍ତିନାମାର ମୂଳ ଉଦ୍ଦେଶ୍ୟ ବୋଲି କୁଳପତି ମିଶ୍ର କହିଛନ୍ତି। ଏହି ବୁଝାମଣା ପତ୍ରକୁ ରମାବେଦୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ଇତିଶ୍ରୀ ଦାସ ଓ ମିରାଣ୍ଡ ହାଉସ ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷା ଡ. ବିଜୟଲକ୍ଷ୍ମୀ ନନ୍ଦ ସ୍ବାକ୍ଷର କରିଛନ୍ତି। ଦ୍ୱିତୀୟ ଅଧିବେଶନରେ ମିରାଣ୍ଡ ହାଉସ ମହାବିଦ୍ୟାଳୟ ପ୍ରାଧ୍ୟାପିକା ଡ. ହିନା ସିଂହ ଗବେଷଣାର ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ।

Share