Categories: ଖେଳ

ରମେଶ ପାଓ୍ବାର ଭାରତ-ଏ’ର ବୋଲିଂ କୋଚ୍‌

ମୁମ୍ବାଇ, ୨୭।୮- ପ୍ରାକ୍ତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ଭାରତ-ଏ କ୍ରିକେଟ୍‌ ଦଳର ବୋଲିଂ କୋଚ୍‌ ନିଯୁକ୍ତ କରାଯାଇଛି। ଘରୋଇ ଭାରତ-ଏ ଗୁରୁବାରଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱି-ପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ସିରିଜରେ ଭାରତ-ଏ ୫ଟି ଏକଦିବସୀୟ ଦିନିକିଆ ମ୍ୟାଚ୍‌ ଓ ୨ଟି ୪ ଦିବସୀୟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍‌ ପାଇଁ ମନୀଷ ପାଣ୍ଡେଙ୍କୁ ଭାରତ-ଏ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ୪୧ ବର୍ଷୀୟ ପାଓ୍ବାର ଏଥିପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇଥିଲେ। ଓ୍ବେଷ୍ଟଇଣ୍ଡିରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ ପରେ ପାଓ୍ବାରଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଭାରତ ଏହି ବିଶ୍ୱକପ୍‌ର ସେମିଫାଇନାଲରେ ଇଂଲଣ୍ଡ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲା। ଏହାପରେ ଡବ୍ଲୁଭି ରମନଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଥିଲା। ପାଓ୍ବାର ଭାରତ ପକ୍ଷରୁ ୨ଟି ଟେଷ୍ଟ ଓ ୩୧ ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୬ ଓ ୩୪ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି।

Share