ରମେଶ ପାଣିଗ୍ରାହୀଙ୍କୁ ମିଳିବ ‘ସାହିତ୍ୟ ଭାରତୀ ସମ୍ମାନ’

ଭୁବନେଶ୍ୱର,୩ା୩(ବ୍ୟୁରୋ): ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେଶନ ପକ୍ଷରୁ ୨୦୨୦ ପାଇଁ ସମ୍ମାନଜନକ ‘ସାହିତ୍ୟ ଭାରତୀ ସମ୍ମାନ’ ଘୋଷଣା କରାଯାଇଛି। ଚଳିତବର୍ଷ ଲାଗି ବିଶିଷ୍ଟ ସାହିତି୍ୟକ ଏବଂ ନାଟ୍ୟକାର ଡ. ରମେଶ ଚନ୍ଦ୍ର ପାଣିଗ୍ରାହୀ ଏହି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଆଧୁନିକ ଓଡ଼ିଆ ନାଟକ କ୍ଷେତ୍ରରେ ପ୍ରମୁଖ ଅବଦାନ ସହ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ଏବଂ ଗବେଷଣା ଲାଗି ତାଙ୍କୁ ଏହି ସମ୍ମାନ ମିଳିବ। ତାଙ୍କୁ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ।
ଏହାବ୍ୟତୀତ ଫାଉଣ୍ଡେଶନ ପକ୍ଷରୁ ୨୦୨୦ ବର୍ଷ ଲାଗି ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଘୋଷଣା କରାଯାଇଛି। ଖ୍ୟାତନାମା କବି ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ଏହି ସମ୍ମାନ ମିଳିବ। ସେହିଭଳି ଔପନ୍ୟାସିକା ବିଜୟିନୀ ଦାସଙ୍କୁ ଚଳିତବର୍ଷ ଲାଗି ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ଉଭୟ ପ୍ରତିଭାଙ୍କୁ ୨୫ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବ। ଜଣାଶୁଣା ସାହିତ୍ୟକାର ଦେବାଶିଷ ସାମନ୍ତରାୟ ଏବଂ ଡ. ସୁଶୀଲ କୁମାର ବାଗଙ୍କୁ ଫାଉଣ୍ଡେଶନ ପକ୍ଷରୁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ମିଳିବ। ଅନୁଷ୍ଠାନର ପ୍ରତିଷ୍ଠାତା ଗଙ୍ଗାଧର ରଥଙ୍କ ସ୍ମୃତିରେ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଶ୍ରୀ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ପ୍ରାଣୀ ବିଜ୍ଞାନୀ, ସାମାଜିକ କର୍ମୀ, ସାହିତି୍ୟକା ତଥା ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଡ. ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦିଙ୍କୁ ପ୍ରଦାନ କରାଯିବ। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଗି ସେ ଏହି ସମ୍ମାନ ପାଇବେ। ଆସନ୍ତା ୧୫ ତାରିଖ ସନ୍ଧ୍ୟାରେ କଟକ କଳା ବିକାଶ କେନ୍ଦ୍ର ପରିସରରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଉପସଭାପତି ମାଧବ କୌଶିକ, ମୁଖ୍ୟ ବକ୍ତାଭାବେ ଡ. ସଙ୍ଘମିତ୍ରା ମିଶ୍ର ଏବଂ ଟ୍ରଷ୍ଟି ଡ. ଜୟନ୍ତ ରଥ ଯୋଗଦେଇ ପୁରସ୍କାର ପ୍ରଦାନ କରିବା ସହ ଅଭିଭାଷଣ ରଖିବେ।

Share