ରସାସିଂହରେ ଜ୍ୱର ଆତଙ୍କ:୪ ଡେଙ୍ଗୁ, ୬ ଚିକୁନଗୁନିଆ ରୋଗୀ ଚିହ୍ନଟ

ଢେଙ୍କାନାଳ ଅଫିସ, ୨୮।୯

ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ରସାସିଂହ ଗ୍ରାମରେ ସଂକ୍ରାମକ ଜ୍ୱର ଆତଙ୍କ ଦେଖାଦେଇଛି। ଶୁକ୍ରବାର ରକ୍ତ ନମୁନା ପରୀକ୍ଷା କରାଯିବା ପରେ ୪ ଡେଙ୍ଗୁ ଏବଂ ୬ ଜଣ ଚିକୁନ୍‌ଗୁନିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଗ୍ରାମବାସୀଙ୍କ କହିବା କଥା, ଦେଢ଼ମାସ ହେଲା ଗ୍ରାମରେ ଅଧିକାଂଶ ଲୋକ ଜ୍ୱରରେ ପଡ଼ିଛନ୍ତି। ଆକ୍ରାନ୍ତଙ୍କ ନିକଟରେ ଆଣ୍ଠୁଗଣ୍ଠି ଦରଜ, ବାନ୍ତି ହେବା ଆଦି ଲକ୍ଷଣ ଦେଖାଯାଉଛି। ଜ୍ୱର ନ କମିବାରୁ ସେପ୍ଟେମ୍ବର ୧୮ରେ ଏ ନେଇ ଅଞ୍ଚଳବାସୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷଜ୍ଞ ଦଳ ଗ୍ରାମରେ ପହଞ୍ଚତ୍ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ। ଏହାପରେ ଭୁବନେଶ୍ୱରରୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ଗ୍ରାମରେ ପହଞ୍ଚତ୍ ରକ୍ତ ନମୁନା ସଂଗ୍ରହ କରି ନେଇଥିଲେ। ପରୀକ୍ଷାରୁ ୧୦ଜଣ ଡେଙ୍ଗୁ ଏବଂ ଚିକୁନ୍‌ଗୁନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାପରେ ଶୁକ୍ରବାର ପୁଣିଥରେ ଭୁବନେଶ୍ୱରରୁ ଡାକ୍ତରୀ ଦଳ ଗ୍ରାମକୁ ଆସି ୬୪ ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନେଇଛନ୍ତି। ବିଶେଷଜ୍ଞଙ୍କ କହିବା କଥା, ଗ୍ରାମ ପରିବେଶ ଆବର୍ଜନାମୟ ହୋଇପଡ଼ିଛି। ମଶା ଉପଦ୍ରବ ଏବଂ ସଂକ୍ରମଣ ଯୋଗୁ ଜ୍ୱର ବ୍ୟାପୁଛି। ଏ ନେଇ ଅଧିକ ପରୀକ୍ଷା ନିରୀକ୍ଷା କରାଯାଉଛି।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ନିରଞ୍ଜନ ମିଶ୍ର କୁହନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆତଙ୍କିତ ହେବାର କୌଣସି କାରଣ ନାହିଁ। ଅଧିକାଂଶ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି। ଡେଙ୍ଗୁ ଏବଂ ଚିକୁନଗୁନିଆ ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ପ୍ରତିକାର ସ୍ବରୂପ ମଶାତେଲ ସିଞ୍ଚନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି।

Share