ରସୁଲଗଡ଼ ଫ୍ଲାଏଓଭର ତଳରାସ୍ତା ମରଣଯନ୍ତ୍ରା: ଖାଲରେ ପଡ଼ି ୨ ଦିନରେ ୭ ଆହତ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟ ରସୁଲଗଡ଼ ଫ୍ଲାଏଓଭର ତଳ ରାସ୍ତା ପାଲଟିଛି ମରଣଯନ୍ତ୍ରା। ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏ ୮ରୁ ଊର୍ଦ୍ଧ୍ୱ ଖାଲ ଅଁା କରିରହିଛି। ପ୍ରତିଦିନ ଏହି ରାସ୍ତାରେ ଗାଡ଼ିଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷ କରି ସାମାନ୍ୟ ବର୍ଷା ହେଲେ ଅଧିକ ବିପଦ ସୃଷ୍ଟି ହେଉଛି। କାରଣ ନିକଟରେ ଥିବା ଏକ ଡ୍ରେନ୍‌ ପୋତି ହୋଇଯାଇଥିବାରୁ ବର୍ଷା ହେଲେ ଡ୍ରେନ ପାଣି ରାସ୍ତା ଉପରେ ଚାଲୁଛି। ଫଳରେ ଖାଲ କେଉଁଠି ଦେଖାଯାଉ ନ ଥିବାରୁ ଲୋକେ ତଳେ ପଡ଼ିଯାଉଛନ୍ତି। ଗତ ଦୁଇ ଦିନରେ ୭ ଜଣ ବାଇକ ଚାଳକ ଏହି ଖାଲରେ ପଡ଼ି ଆହତ ହେଲେଣି। ଶନିବାର ଅପରାହ୍ନରେ ଏହିଭଳି ଏକ ଘଟଣା ସେଠାରେ ଦେଖିବାକୁ ମିଳିଥିଲା। ଜଣେ ବାଇକ ତଳେ ପଡ଼ିଯିବା ପରେ ପଛରୁ ଆସୁଥିବା ଏକ ବସ୍‌ର ଚକା ତଳେ ଚାପି ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ସକାଳେ ସେଠାରେ ଜଣେ ଯୁବକ ବସ୍‌ ଚଢୁ ଚଢୁ ଖାଲରେ ପଡ଼ି ଖଣ୍ଡିଆ ଖାବରା ହୋଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଆଗକୁ ଦଶହରା ପୂଜା ଥିବାରୁ ଏହାକୁ ମରାମତି କରା ନ ଗଲେ ବଡ଼ ବଡ଼ ଦୁର୍ଘଟଣା ଘଟିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି। ଏପରିକି ସେମାନେ ମରାମତି ତୁରନ୍ତ କରା ନ ଗଲେ ରାସ୍ତାରୋକୋ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share