Categories: ଯାଜପୁର

ରସୁଲପୁର ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ରସୁଲପୁର,୧।୮(ଡି.ଏନ୍‌.ଏ.): ଯାଜପୁର ଜିଲାପାଳ ରଞ୍ଜନକୁମାର ଦାସ ବୁଧବାର ପୂର୍ବାହ୍ନରେ ରସୁଲପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ଦାସ ଧର୍ମଶାଳା ବ୍ଲକ ଜାରକା ବଜାରସ୍ଥିତ ତ୍ରିନାଥ ମନ୍ଦିରଠାରେ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବାଟରେ ଏହି ବ୍ଲକ ପରିଦର୍ଶନରେ ଆସିଥିଲେ। ବ୍ଲକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ଗ୍ରାମପଞ୍ଚାୟତ ବୈଷୟିକ ସହାୟିକାସହାୟକଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷକରି ଆମ ଗାଁ ଆମ ବିକାଶ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପଗୁଡିକର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବ୍ଲକ କାର୍ଯ୍ୟାଳୟରେ ି ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ ଓ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ, ଗୃହ ନିର୍ମାଣର ଅଗ୍ରଗତି, ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ପ୍ରଦାନ, ଗ୍ରାମ ଜଳଯୋଗାଣ ସହିତ ଉନ୍ନୟନ ବହୁ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଅଗଷ୍ଟ୧୫ତାରିଖ ସୁଧା ସ୍ବଚ୍ଛ ଭାରତ ମିଶନ ଜରିଆରେ ଘରୋଇ ପାଇଖାନା ନିର୍ମାଣ କାର୍ଯ୍ୟ ସରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉକ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏଥିସହ ବ୍ଲକକୁ ଆସିଥିବା ୧୧୬୧ ପ୍ରଧାମନ୍ତ୍ରୀ ଆବାସ ଗୃହରୁ ଟାର୍ଗେଟରୁ ଯୋଗ୍ୟ ହିତାଧିକାରୀ ମିଳୁ ନ ଥିବାରୁ ପାଖାପାଖି ୪୦୦ସରକାରୀ ଆବାସ ଫେରି ଯିବାନେଇ ଅବଗତ ହୋଇଥିଲେ। ଆବସ ସର୍ଭେରୁ ବଞ୍ଚତ୍ତ ହୋଇଥିବା ହିତାଧିକାରୀମାନେ କ’ ଓ ଖ’ ଫର୍ମରେ କରୁଥିବା ଆବେଦନ କରୁଛନ୍ତି। ଉକ୍ତ ଆବଦେନ ଫର୍ମର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ପରେ କ୍ଷେତ୍ର ପରିଦର୍ଶନରେ ବାହାରି ଆମ ଗାଁ ଆମ ବିକାଶ ଯୋଜନାରେ ରସୁଲପୁର ପଞ୍ଚାୟତ ଖଣ୍ଡିତର କବାଡି ଷ୍ଟାଡିୟମଠାରେ ନିର୍ମାଣ ହୋଇଥିବା ନୂତନ ଗ୍ୟାଲେରି, ମା’ ମଙ୍ଗଳା କଲ୍ୟାଣ ମଣ୍ଡପ, ରସୁଲପୁର ଗାଁରେ ଥିବା ଗୋଷ୍ଠୀ କେନ୍ଦ୍ରକୁ ଜିଲାପାଳ ବୁଲି ଦେଖିଥିଲେ। ଏହି ଯୋଜନାରେ ବାକି ରହିଥିବା କାର୍ଯ୍ୟକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସାନତ୍ରିଲୋଚନପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଚାନକ ପହଞ୍ଚତ୍ ସମ୍ପୃକ୍ତ କର୍ମୀଙ୍କ ଠାରୁ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ଉପରେ ଅବଗତ ହୋଇଥିଲେ। ଉକ୍ତ ପରିଦର୍ଶନରେ ବିଡିଓ ଉମାକାନ୍ତ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ନମିତା ହାଂସଦା, ସହାକାରୀ ଯନ୍ତ୍ରୀ ଯତିନ୍ଦ୍ର ମୋହନ ସ୍ବାଇଁ, ପ୍ରମୁଖ ଜିଲାପାଳଙ୍କୁ ବିଭିନ୍ନ ପ୍ରକଳ୍ପ ବୁଲାଇ ଦେଖାଇଥିଲେ।