Categories: ଖେଳ

ରହସ୍ୟ ଉପରୁ ପରଦା ଉଠାଇଲେ ଅମିରଙ୍କ ସ୍ତ୍ରୀ

ଲଣ୍ଡନ, ୧।୮: ଟେଷ୍ଟ କ୍ରିକେଟରୁ ନିକଟରେ ଅବସର ନେଇଥିବା ବୋଲର୍‌ ମହମ୍ମଦ ଅମିର ଏବେ ପାକିସ୍ତାନ ଛାଡି ବ୍ରିଟେନର ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏନେଇ ପାକିସ୍ତାନ ଗଣାମାଧ୍ୟମଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ତାଙ୍କୁ ସମାଲୋଚନା କରିବାକୁ ପଛାଇନାହାନ୍ତି। ଅମିର କୁଆଡେ ବ୍ରିଟେନରେ ରହି ଇଂଲଣ୍ଡ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି। ତେଣୁ ସେ ମାତ୍ର ୨୭ ବର୍ଷ ବୟସରେ ଟେଷ୍ଟରୁ ଅବସର ଦେଇଛନ୍ତି ବୋଲି ମିଡିଆରେ ଚର୍ଚ୍ଚା ହେଉଛି। କିନ୍ତୁ ଏସବୁ ଉପରୁ ପରଦା ଉଠାଇଛନ୍ତି ଅମିରଙ୍କ ସ୍ତ୍ରୀ ନରଜିସ୍‌। ଅମିରଙ୍କ ନାଁରେ ଯେଉଁ ଉଡା ଖବର ପ୍ରକାଶ ପାଉଛି ତାହାକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅମିର ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି ସତ, କିନ୍ତୁ ଇଂଲଣ୍ଡ ପକ୍ଷରୁ ଖେଳିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ପାକିସ୍ତାନ ପକ୍ଷରୁ ଖେଳୁଥିବାରୁ ନିଜକୁ ଗର୍ବ କରନ୍ତି ଅମିର୍‌। ଭବିଷ୍ୟତରେ ତାଙ୍କ ଝିଅ ଯଦି କ୍ରୀଡା ପ୍ରତି ଆକର୍ଷିତ ହେବ, ତେବେ ସେ ବି ପାକିସ୍ତାନ ପକ୍ଷରୁ ଖେଳିବ ବୋଲି ନରଜିସ୍‌ କହିଛନ୍ତି। ୨୦୧୬ ସେପ୍ଟେମ୍ବରରେ ବ୍ରିଟିଶ ଯୁବତୀ ନରଜୀସ୍‌ଙ୍କୁ ବିବାହ କରିଥିଲେ ଅମିର। ଫଳରେ ସେ ବ୍ରିଟେନ୍‌ ଭିଜା ଲାଗି ଯୋଗ୍ୟ ହୋଇଛନ୍ତି। ଏହି ଭିଜା ତାଙ୍କୁ ଇଂଲଣ୍ଡରେ ୩୦ ମାସ ରହିବାକୁ ଅନୁମତି ଦେଉଛି। ଏହି ସମୟରେ ସେ ଇଂଲଣ୍ଡର ନାଗରିକଙ୍କ ଭଳି ସମସ୍ତ ଅଧିକାରର ଫାଇଦା ଉଠାଇ ପାରିବେ।

Share