ର଼୍ୟାଗିଂ ଘଟଣା: ୬ ଅନ୍ତେବାସୀ ହଷ୍ଟେଲରୁ ବହିଷ୍କୃତ ବହିଷ୍କାର ନିର୍ଦ୍ଦେଶ ପ୍ରତିବାଦରେ ଧାରଣା

କଟକ ଅଫିସ,୧୯।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ମଙ୍ଗଳବାର ହୋଇଥିବା ର଼୍ୟାଗିଂ ଅଭିଯୋଗରେ ୬ଜଣ ଅନ୍ତେବାସୀଙ୍କୁ ହଷ୍ଟେଲରୁ ବହିଷ୍କାର ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶକୁ ପ୍ରତିବାଦ କରି ବୁଧବାର ରାତିରେ ଇଷ୍ଟ ହଷ୍ଟେଲ ଅନ୍ତେବାସୀମାନେ ଧାରଣାରେ ବସିଥିଲେ। ଏପରି କି ମୁଖ୍ୟଫାଟକ ତାଲା ପକାଇବା ସହ କୁଳସଚିବଙ୍କୁ ଯିବାକୁ ଦେଇ ନ ଥିଲେ। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମାଲଗୋଦାମ ପୋଲିସ ପହଞ୍ଚି ଧାରଣାରତ ଅନ୍ତେବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ହଟି ନ ଥିଲେ। ପରେ କୁଳସଚିବ ଅଶୋକ କୁମାର ଦାସ ଏ ସମ୍ପର୍କରେ ଗୁରୁବାର ପୁନର୍ବାର ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ର଼୍ୟାଗିଂ ଅଭିଯୋଗକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳା କମିଟି ଏବଂ ଆଣ୍ଟି ର଼୍ୟାଗିଂ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଜଣ ଅନ୍ତେବାସୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ସେମାନଙ୍କୁ ଗୋଟିଏ ସେମିଷ୍ଟର ପରୀକ୍ଷାରୁ ବଞ୍ଚିତ କରାଯିବା ସହ ହଷ୍ଟେଲରେ ରହିପାରିବେ ନାହିଁ ବୋଲି କଡ଼ା ପଦକ୍ଷେପ ନେଇଛି ଆଣ୍ଟି ର଼୍ୟାଗିଂ କମିଟି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ୱାର୍ଡେନ ପ୍ରଫେସର ସ୍ମୃତିପ୍ରଭା ଦାସ କହିଛନ୍ତି, ର଼୍ୟାଗିଂ ଅଭିଯୋଗ ଆଧାରରେ ପଦକ୍ଷେପ ନିଆଯାଇଛି। ବିଶ୍ୱବିଦ୍ୟାଳୟର କୌଣସି ଛାତ୍ରୀଛାତ୍ର ଯେପରି ନିଜକୁ ଅସୁରକ୍ଷିତ ମନେ ନ କରିବେ ସେ ଦିଗରେ କମିଟି ପକ୍ଷରୁ ଦୃଷ୍ଟି ଦିଆଯାଇଛି। ସୂଚନାଥାଉ କି, ଇଷ୍ଟ ହଷ୍ଟେଲରେ ସୋମବାର ବିଳମ୍ବିତ ରାତିରେ ଜନ୍ମଦିନ ପାଳନ ଉତ୍ସବରେ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସ୍ନାତକ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ କେତେଜଣ ଅନ୍ତେବାସୀ ମାଡ ମାରିଥିଲେ। ଏ ସମ୍ପର୍କରେ ସେ ଅଭିଯୋଗ କରି ନ ଥିଲେ ମଧ୍ୟ ତାଙ୍କ ଅଭିଭାବକ ର଼୍ୟାଗିଂ ହୋଇଛି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଥିଲେ। ଅଭିଭାବକ ଜଣଙ୍କ ୬ ଜଣ ଅନ୍ତେବାସୀଙ୍କ ନାମରେ ର଼୍ୟାଗିଂ ଅଭିଯୋଗ ଉଠାଇଥିଲେ। ମାଡ଼ ଯୋଗୁ ଛାତ୍ରଙ୍କ ପିଠିରେ ଦାଗ ହୋଇଥିବା ଦେଖିବାକୁ ମିଳିଥିଲା। ବୁଧବାର ବୈଠକରେ ୬ଜଣ ଅନ୍ତେବାସୀ ମଧ୍ୟ ଶୃଙ୍ଖଳା କମିଟି ଏବଂ ଆଣ୍ଟି ର଼୍ୟାଗିଂ କମିଟି ନିକଟରେ ହାଜର ହୋଇଥିବା ଜଣାପଡ଼ିଛି।

Share